fbpx

ସୁନୀଲ ବଂଶଲଙ୍କ ପ୍ରଭାରୀ ପରେ ବିଜେପିର ପ୍ରଥମ ବିଜୟ, ଧାମନଗର ପରେ ଏବେ ପଦ୍ମପୁରରେ କାମ ଦେବ କି କୁଶଳୀ ରଣନୀତିକାରଙ୍କ ରଣନୀତି ?

ଭୁବନେଶ୍ଵର: ଧାମନଗର ଉପ ନିର୍ବାଚନର ଉଷ୍ମତା ନ କମୁଣୁ ପଦ୍ମପୁର ଉପ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଧାମନଗର ଗଡ ବଜାୟ ରଖିବାରେ ସଫଳ ହେବା ପରେ ଏବେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି(ବିଜେପି)ର ନଜର ପଦ୍ମପୁର ଉପରେ ରହିଛି। ଏହି ଆସନରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ତିନି ପ୍ରମୁଖ ଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଗଲାଣି। ଧାମନଗର ନିର୍ବାଚନ ବିଜୟ ପରେ ବିଜେପି ଆତ୍ମ ବିଶ୍ଵାସର ସହ ପଦ୍ମପୁର ମଇଦାନକୁ ଓହ୍ଲାଇବ। ତେବେ ବିଜେପିର ଏହି ଗୁରୁତ୍ଵପୂର୍ଣ୍ଣ ବିଜୟ ପଛରେ ଓଡିଶା ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଅବଦାନକୁ ଅସ୍ଵୀକାର କରାଯାଇ ପାରିବ ନାହିଁ। ଉତ୍ତର ପ୍ରଦେଶରେ ବିଜେପିକୁ ଐତିହାସିକ ସଫଳତା ଦେଇଥିବା ସୁନୀଳ ବଂଶଲଙ୍କୁ ଗତ ଅଗଷ୍ଟ ୧୦ ତାରିଖରେ ଓଡିଶା ସମେତ ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ଵ ଦିଆଯାଇଥିଲା। ଏହା ପରଠୁ ଓଡିଶା ବିଜେପିରେ ନୂତନ ଆଶା କିରଣ ଜାଗି ଉଠିଛି।

ଓଡିଶା ବିଜେପିର ପ୍ରଭାରୀ ଦାୟିତ୍ଵ ସମ୍ଭାଳିବା ପରେ ସୁନୀଲ ବଂଶଲ ରାଜ୍ୟର ପଞ୍ଚାୟତ, ବ୍ଲକସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ସେ ସେପ୍ଟେମ୍ବର ମାସରେ ଓଡିଶା ଗସ୍ତ କରି ଦଳର ବିଧାୟକ, ସାଂସଦ ଏବଂ ବିଭିନ୍ନ ପଦାଧିକାରୀଙ୍କ ସହ ରାଜ୍ୟରେ ବିଜେପିର ତୃଣମୂଳ ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଦଳକୁ କେମିତି ଅଧିକ ସକ୍ରିୟ ଏବଂ ତୃଣମୂଳସ୍ତରରେ ମଜବୁତ କରାଯାଇ ପାରିବ ସେ ଦିଗରେ ସୁନୀଲ ବଂଶଲ ମନ୍ତ୍ର ଦେଇଛନ୍ତି। ତାଙ୍କ ପ୍ରଭାରୀ ହେବା ପରଠୁ ରାଜ୍ୟ ବିଜେପି ଚଲଚଞ୍ଚଳ ହୋଇ ଉଠିଛି। ସାଂଗଠନିକ ସ୍ତରରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଓଡିଶା ବିଜେପି ପ୍ରଭାରୀର ଗୁରୁ ଦାୟିତ୍ଵ ସମ୍ଭାଳିବା ପରେ ବିଜେପିର ପ୍ରଥମ ପରୀକ୍ଷା ଥିଲା ଧାମନଗର। ଯେଉଁଠି ଦଳ ପଦ୍ମ ଫୁଟାଇବାରେ ସଫଳ ହୋଇଛି। ଏବେ ପଦ୍ମପୁର ଉପରେ ସଭିଙ୍କ ନଜର। କଣ ପଦ୍ମପୁରରେ ସୁନୀଲଙ୍କ ରଣନୀତି କାମ ଦେବ ? କଣ ବିଜେପି ଧାମନଗର ପରେ ପଦ୍ମପୁର ଉପନିର୍ବାଚନରେ ବିଜୟ ହାସଲ କରିବ ? ତାହା ଉପରେ ଏବେ ସଭିଙ୍କ ନଜର।

ସୁନୀଲ ବଂଶଲଙ୍କ ଟ୍ରାକ ରେକର୍ଡ
ବଂଶଲ ବର୍ତ୍ତମାନ ଓଡିଶା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର ରାଜ୍ୟ ପ୍ରଭାରୀ ସହ ଉତ୍ତର ପ୍ରଦେଶର ସାଂଗଠନିକ ସାଧାରଣ ସଂପାଦକ ପରି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵରେ ଅଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସୁନୀଲ ବଂଶଲଙ୍କ ସମ୍ପର୍କ ଅତି ଘନିଷ୍ଠ । ଉତ୍ତର ପ୍ରଦେଶ ସଂଗଠନ ଦାୟିତ୍ୱ ଥିବା ସମୟରେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୮୦ ଲୋକସଭାରୁ ୭୧ ଆସନ ଜିତିବାରେ ସଫଳ ହୋଇଥିଲା। ପ୍ରାୟ ୧୪ ବର୍ଷ ପରେ ପୁଣି ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟରେ କ୍ଷମତାକୁ ଫେରିବାରେ ସଫଳ ହୋଇଥିଲା ବିଜେପି।  ସେହିପରି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ୩୫ ବର୍ଷର ରେକର୍ଡ ଭାଙ୍ଗି ପୁଣି ଥରେ ବିଜେପି ଦେଶର ସବୁଠୁ ବଡ ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଛି । ଏସବୁ ନିର୍ବାଚନରେ ସୁନୀଲ ବଂଶଲଙ୍କ ରଣନୀତି ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ସୁନୀଲ ବଂଶଲ ଜଣେ କୁଶଳୀ ରଣନୀତିକାର ରୂପେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ପଦ୍ମପୁର ଉପ ନିର୍ବାଚନ
ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ରେ ବିଧିବଦ୍ଧ ଭାବେ କେନ୍ଦ୍ର ନିର୍ବାଚନ କମିଶନର ତାରିଖ ଘୋଷଣା କରିବା ପରଠୁ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା । ଦଳରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । ସମସ୍ତେ ନିଜ ନିଜର ପତିଆରା ଜାହିର କରିବା ପାଇଁ ପ୍ରାକ୍ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ବିଜେଡିର ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଦୀର୍ଘ ପାଞ୍ଚଟି ନିର୍ବାଚନରେ ବିଜୟୀ ରହିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ ରହି ଆସିଛି। ଏବେ ଦେଖିବା ବାକି ରହିଲା ଧାମନଗର ପରେ ପଦ୍ମପୁର ପଦ୍ମ ଫୁଟୁଛି କି ନାହିଁ।

୨୦୧୪ ନିର୍ବାଚନରେ ବିଜେପି ପ୍ରଥମ ଥର ପଦ୍ମପୁର ଆସନରୁ ବିଜୟ ହେବାରେ ସଫଳ ହୋଇଥିଲା। ବରିଷ୍ଠ ନେତା ପ୍ରଦୀପ ପୁରୋହିତ ବିଜୟ ରଞ୍ଜନ ସିଂହ ବରିହାଙ୍କୁ ପାଖାପାଖି ଚାରି ହଜାର ଭୋଟରେ ହରାଇଥିଲେ। ଏହା ପରଠୁ ଉକ୍ତ ଆସନରେ ବିଜେପିର ସ୍ଥିତି ବେଶ ମଜବୁତ ରହିଛି। ତେବେ ୨୦୧୯ ନିର୍ବାଚନରେ ବିଜେଡିର ଟାଣୁଆ ନେତାଙ୍କଠୁ ପରାଜିତ ହୋଇଥିଲେ ପୁରୋହିତ। ତେଣୁ ଏଥର ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

କେବେ ହେବ ଭୋଟିଂ
ଆସନ୍ତା ଡ଼ିସେମ୍ବର ୫ ତାରିଖରେ ପଦ୍ମପୁର ଉପ ନିର୍ବାଚନରେ ଭୋଟିଂ ହେବ। ଏନେଇ ନଭେମ୍ବର ୧୦ ତାରିଖ ବିଜ୍ଞପ୍ତି ପ୍ରକାଶ ହେବାକୁ ଥିବା ବେଳେ ୧୭ ତାରିଖ ପ୍ରାର୍ଥପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ନଭେମ୍ବର ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଡିସେମ୍ବର ୮ରେ ଭୋଟ ଗଣତି ହେବା ସହ ଫଳାଫଳ ଘୋଷଣା କରାଯିବ ବୋଲି କେନ୍ଦ୍ର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।

Get real time updates directly on you device, subscribe now.