ପହଲଗାମ୍ ଆକ୍ରମଣ, କାଶ୍ମୀର ଖାଁ ଖାଁ, ପର୍ଯ୍ୟଟନ କ୍ଷେତ୍ର ଉପରେ ବଡ଼ ପ୍ରଭାବ

ଯେଉଁଠି ୨ ଦିନ ତଳେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ଏବେ ସେଠି ଲକଡାଉନ୍ ପରିସ୍ଥିତି। ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସାମ୍ନାକୁ ଆସିଲା ପ୍ରଥମ ଚିତ୍ର।

ପହଲଗାମ୍: ସବୁଠି ଖାଁ ଖାଁ। ଯେଉଁଠି ଦୁଇ ଦିନ ତଳେ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା। ଆଜି ସେହି ସ୍ଥାନ ପୁରା ଶୂନ ଶାନ। ଯେଉଁ ସ୍ଥାନରେ ଦୋକାନମାନଙ୍କରେ ଭିଡ଼ ଲାଗୁଥିଲା, ସେହି ଦୋକାନରେ ଏବେ କବାଟ ବନ୍ଦ।

ହଁ ଆପଣମାନେ ଠିକ୍ ଅନୁମାନ କରୁଛନ୍ତି। ଆମେ କହୁଛୁ ପହଲଗାମ୍ କଥା। ଯେଉଁଠି ମଙ୍ଗଳବାର ଦିନ ଆତଙ୍କବାଦୀମାନେ ନିରିହ ହିନ୍ଦୁମାନଙ୍କ ଶବ ଗଦା କରିପକାଇଥିଲେ। ଏହି ଆତଙ୍କୀ ଆକ୍ରମଣରେ ଏବେସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପହଲଗାମ୍ ଆକ୍ରମଣ:  ହେଲେ ଏହି ଆକ୍ରମଣ ଜମ୍ମୁ-କାଶ୍ମୀର ଉପରେ ବଡ଼ ପ୍ରଭାବ ପକାଇଛି। ପହଲଗାମ ଆକ୍ରମଣର ପ୍ରଭାବ ଜମ୍ମୁ ଏବଂ କାଶ୍ମୀରର ପର୍ଯ୍ୟଟନ ଉପରେ ପଡିଛି। ଗୋଟିଏ ଦିନ ପୂର୍ବରୁ ପର୍ଯ୍ୟଟକଙ୍କ ଭିଡ଼ ଥିବା ରାସ୍ତାଗୁଡ଼ିକ ହଠାତ୍ ଜନଶୂନ୍ୟ ହୋଇଯାଇଛି।

ଆକ୍ରମଣ ପରେ, ବୁଧବାର ପରଠାରୁ ଏଠାରେ କ୍ୱଚିତ୍ ଲୋକଙ୍କୁ ଦେଖିବାକୁ ମିଳୁଛି। କେବଳ ସୁରକ୍ଷା ବାହିନୀର କର୍ମଚାରୀମାନଙ୍କ ଦେଖା ମିଳୁଛି। ହେଲେ ପୁରା ମାର୍କେଟ୍ ବନ୍ଦ ରହିଛି। କହିବାକୁ ଗଲେ ଏକ ପ୍ରକାର ଲକଡାଉନ ପରି ମନେ ହେଉଛି। ପହଲଗାମ ଏବଂ ଆଖପାଖ ଅଞ୍ଚଳରେ ମନ୍ଦିରଠାରୁ ମସଜିଦ ପର୍ଯ୍ୟନ୍ତ ସବୁକିଛି ଖାଲି ଦେଖାଯାଉଛି।

ଏହା ସ୍ପଷ୍ଟ ଯେ ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ଜମ୍ମୁ ଏବଂ କାଶ୍ମୀରର ପର୍ଯ୍ୟଟନ ଶିଳ୍ପ, ଯାହାକୁ ୨୦୩୦ ସୁଦ୍ଧା ୩୦ ହଜାର କୋଟି ଟଙ୍କାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି, ତାହା ଶୂନ୍ୟରେ ପହଞ୍ଚିବାର ଆଶଙ୍କା ରହିଛି।

ସ୍ଥାନୀୟ ଲୋକମାନେ କହୁଛନ୍ତି ଯେ ଏହି ଆକ୍ରମଣ ପର୍ଯ୍ୟଟକଙ୍କ ଉପରେ ନୁହେଁ ବରଂ କାଶ୍ମୀରର ସମୃଦ୍ଧି ଉପରେ ହୋଇଛି। ଜମ୍ମୁ ଏବଂ କାଶ୍ମୀରର ମୋଟ ଅର୍ଥନୀତିରେ ପର୍ଯ୍ୟଟନ କ୍ଷେତ୍ରର ଅବଦାନ ଆଠ ପ୍ରତିଶତ। ୨୦୨୪-୨୫ ବର୍ଷରେ ରାଜ୍ୟର GDP ସାତ ପ୍ରତିଶତ ହାରରେ ଅଭିବୃଦ୍ଧି ପାଇଛି, ଯେଉଁଥିରେ ପର୍ଯ୍ୟଟନ କ୍ଷେତ୍ର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ପାଇଛି।

୯୦ ପ୍ରତିଶତ ବିମାନ ବାତିଲ: ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ପରେ ଲୋକମାନେ ଜମ୍ମୁ-କାଶ୍ମୀର ପାଇଁ ସେମାନଙ୍କର ୯୦ ପ୍ରତିଶତ ବୁକିଂ ବାତିଲ କରିଛନ୍ତି ବୋଲି ଟ୍ରାଭେଲ ଏଜେନ୍ସିଗୁଡ଼ିକ କହିଛନ୍ତି।

ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ ବୁଧବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ୨୦ଟି ବିମାନରେ ୩୩୩୭ ଜଣ ଯାତ୍ରୀ ଶ୍ରୀନଗରରୁ ଫେରି ଆସିଥିଲେ।

ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ସ୍ପାଇସଜେଟ୍ ଶ୍ରୀନଗରରୁ ସେମାନଙ୍କର ସାଧାରଣ ନିର୍ଦ୍ଧାରିତ ସେବା ବ୍ୟତୀତ ମୋଟ ସାତଟି ଅତିରିକ୍ତ ବିମାନ ଚଳାଚଳ କରିଥିଲେ। ପହଲଗାମ ସମେତ ଜମ୍ମୁ ଏବଂ କାଶ୍ମୀରର ଅନେକ ସ୍ଥାନରୁ ପର୍ଯ୍ୟଟକମାନେ ଏବେ ଘରକୁ ଫେରୁଛନ୍ତି।

ଏହି ସମୟରେ, ଅନଲାଇନ୍ ଟୁର୍ ଅପରେଟର କ୍ଲିୟରଟ୍ରିପ୍‌ର ମୁଖ୍ୟ ବିକାଶ ଏବଂ ବ୍ୟବସାୟ ଅଧିକାରୀ ମଞ୍ଜରୀ ସିଂହଲ କହିଛନ୍ତି ଯେ ଆକଳନ ଅନୁଯାୟୀ, ଶ୍ରୀନଗରକୁ ବିମାନ ବାତିଲରେ ସାତ ଗୁଣ ବୃଦ୍ଧି ଘଟିଛି। ଭବିଷ୍ୟତ ବୁକିଂ ୪୦ ପ୍ରତିଶତ ହ୍ରାସ ପାଇଛି।

ବୈଷ୍ଣୋ ଦେବୀ ବୁକିଂ ମଧ୍ୟ ବାତିଲ: ଟୁର୍ ଅପରେଟରମାନେ କହିଛନ୍ତି ଯେ, ପରିସ୍ଥିତିକୁ ଦର୍ଶାଇ ଲୋକମାନେ ସେମାନଙ୍କ ଟଙ୍କା ଫେରସ୍ତ ଦାବି କରୁଛନ୍ତି। ତେଣୁ ଏହା ପର୍ଯ୍ୟଟନ ଏଜେନ୍ସିଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରୁଛି। କେବଳ କାଶ୍ମୀର ନୁହେଁ, ଲୋକମାନେ ଏବେ ଜମ୍ମୁ ଯିବାକୁ ମଧ୍ୟ ଭୟ କରୁଛନ୍ତି। ବୈଷ୍ଣୋଦେବୀଙ୍କ ପାଇଁ ବୁକିଂ ମଧ୍ୟ ବାତିଲ ହେଉଛି।