fbpx

ପୁଣିଥରେ ବିଶ୍ୱକପକୁ ଫେରିବେ ପାକିସ୍ତାନ-ନ୍ୟୁଜିଲାଣ୍ଡ! ଏହି କାରଣ ପାଇଁ ଟୁର୍ଣ୍ଣାମେଣ୍ଟରେ ମିଳିଲା ସୁଯୋଗ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଗ୍ରୁପ ଷ୍ଟେଜରୁ ହିଁ ବାଦ୍ ପଡ଼ିଛନ୍ତି ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ । ଆଇସିସିର ପ୍ରମୁଖ ଦଳ ତାଲିକାରେ ଥିବା ବେଳେ ଉଭୟ ଦେଶ ଟୁର୍ଣ୍ଣାମେଣ୍ଟରେ ସୁପର-୮ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି । ତେଣୁ ବର୍ତ୍ତମାନ ଉଭୟଙ୍କ ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଇସିସିର ଏକ ନିୟମ ଅନୁସାରେ ଉଭୟ ଦଳ ପୁଣିଥରେ ବିଶ୍ୱକପ ଖେଳିବା ପାଇଁ ସୁଯୋଗ ପାଇବେ । କିନ୍ତୁ ଏଥିପାଇଁ ଉଭୟ ଦେଶକୁ ଆଉ ୨ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ଚଳିତ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ୨୦୨୬ ଟି-୨୦ ବିଶ୍ୱକପରେ ଉଭୟଙ୍କ ଖେଳିବାକୁ ନେଇ ଏବେ ଆଲୋଚନା-ପର୍ଯ୍ୟାଲୋଚନା ହେବାରେ ଲାଗିଛି । କିନ୍ତୁ ଆଇସିସିର ଏକ ନିୟମ ଉଭୟଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟ ବିବେଚିତ କରିଛି ।

ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଅନେକ ପ୍ରଶ୍ନ ଉଠିଛି । ୨୦୨୬ ଟି-୨୦ ବିଶ୍ୱକପ ଖେଳିବା ପାଇଁ ଉଭୟ କ୍ୱାଲିଫାୟାର ରାଉଣ୍ଡ ଖେଳିବେ କି? ତେବେ ଆଇସିସି ନିୟମ ଅନୁସାରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ୨୦୨୬ ବିଶ୍ୱକପରେ ସିଧାସଳଖ ଏଣ୍ଟ୍ରି କରିପାରିବେ । ଆଇସିସିର ନିୟମ ଅନୁଯାୟୀ, ଟି-୨୦ ବିଶ୍ୱକପର ଟପ୍-୧୨ଟି ଟିମ୍ ଆସନ୍ତା ଟୁର୍ଣ୍ଣାମେଣ୍ଟରେ ସିଧାସଳଖ ପ୍ରବେଶ କରିବା ପାଇଁ ସୁଯୋଗ ପାଇବେ । ଚଳିତବର୍ଷ ସୁପର-୮ରେ ପ୍ରବେଶ କରିଥିବା ସମସ୍ତ ଦଳ ଆଗାମୀ ଟୁର୍ଣ୍ଣାମେଣ୍ଟରେ ସିଧାସଳଖ ଏଣ୍ଟ୍ରି କରିବେ । ୨୦୨୬ରେ ଏହି ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଉଭୟ ଦଳ ଆୟୋଜକ ଭାବରେ ସିଧାସଳଖ ସୁଯୋଗ ପାଇବେ । ଏହାବ୍ୟତୀତ ୧୨ଟି ଦଳ ମଧ୍ୟରୁ ୯ଟି ଟିମ୍ ପ୍ରାୟତଃ ଘୋଷଣା ହୋଇସାରିଛି । ବାକି ୩ଟି ଦଳର ଚୟନ ପାଇଁ ଆଇସିସି ଟି-୨୦ ରାଙ୍କିଙ୍ଗ ଅନୁସାରେ ଚୟନ କରାଯିବ ।

ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପରେ ଜୁନ୍ ୩୦ ତାରିଖ ସୁଦ୍ଧା ବିଶ୍ୱକପର ଟପ୍-୧୨ ଟିମ୍ ଘୋଷଣା କରିବ । ବର୍ତ୍ତମାନ ସମୟରେ ପାକିସ୍ତାନ ଆଇସିସି ଟି-୨୦ ରାଙ୍କିଙ୍ଗର ସପ୍ତମ ସ୍ଥାନରେ ରହିଛି । ସେହିପରି ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ରହିଛି । ଟି-୨୦ ବିଶ୍ୱକପ ୨୦୨୬ରେ ସିଧାସଳଖ ପ୍ରବେଶ କରିବା ପାଇଁ ୩ଟି ସ୍ଥାନ ପାଇଁ କନା ଟକ୍କର ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଆଗାମୀ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ୯ଟି ଟିମ୍ ପରେ ବାକି ଥିବା ସମସ୍ତ ଟିମର ଆଇସିସି ଟି-୨୦ ରାଙ୍କିଙ୍ଗ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଅପେକ୍ଷା କମ୍ ରହିଛି । ତେଣୁ ଉଭୟ ଦଳ ଆଗାମୀ ବିଶ୍ୱପରେ ସାମିଲ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି ।

Get real time updates directly on you device, subscribe now.