fbpx

ପାକିସ୍ତାନରେ ଆକାଶ ଛୁଆଁ ଦରଦାମ, କଦଳୀ ଡର୍ଜନ ୨୫୦ ଟଙ୍କା, ୮୦୦ ଟଙ୍କାରେ ମିଳୁଛି ଲେମ୍ବୁ

ଇସଲାମାବାଦ: ପାକିସ୍ତାନରେ ଦରଦାମ ଏତେ ପରିମାଣରେ ବଢିଯାଇଛି ଯେ, ସାଧାରଣ ଲୋକେ କିପରି ଜୀବନ ଅତିବାହିତ କରିବେ ତାହା ଚିନ୍ତାର ବିଷୟ ପାଳଟିଛି । ପେଟ୍ରୋଲ ଠାରୁ ନେଇ ଖାଦ୍ୟ ପେୟ ପର୍ଯ୍ୟନ୍ତ ସମସ୍ତ ଦର ଆକାଶ ଛୁଇଁଛି । ତେବେ ପାକିସ୍ତାନର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଲେମ୍ବୁ ୨୫୦ ଗ୍ରାମ ପ୍ରତି ୨୦୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ, କିଛି ସହରରେ ଲେମ୍ବୁ କିଲୋ ୮୦୦ଟଙ୍କାରେ ବିକ୍ରି କରାଯାଉଛି । ସେହିପରି ରଶୁଣ ଦର ୨୫୦ ଗ୍ରାମକୁ ୧୬୦ ଟଙ୍କା ରହିଛି, ଏହାକୁ କିଲୋଗ୍ରାମ ହିସାବରେ ୬୪୦ ଟଙ୍କାରେ ବିକ୍ରି କରାଯାଉଛି ।

ଏହା ବ୍ୟତୀତ ବିଲାତି କିଲୋ ୧୨୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ କଲରା ମଧ୍ୟ ଏତିକି ଟଙ୍କାରେ ମିଳୁଛି । ସେହିପରି କିଛିଦିନ ତଳେ ଶିମ୍ବ କିଲୋ ୩୫୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୬୦୦ ଟଙ୍କାରେ ବିକ୍ରି ହେଉଛି । କେବଳ ପନିପରିବାରେ ନୁହେଁ, ଫଳରେ ମଧ୍ୟ ଦରଦାମ ଆକାଶ ଛୁଇଁଛି । କିଛିଦିନ ତଳେ ଖରବୁଜ ୧୦୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୨୫୦ ଟଙ୍କା ହୋଇଯାଇଛି । ଷ୍ଟ୍ରବେରୀ ୨୫୦ ଗ୍ରାମକୁ ୫୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୧୫୦ ଟଙ୍କା ହୋଇଯାଇଛି ।

ଏହି ଦରଦାମରେ ମହଙ୍ଗା ହେତୁ ପାକିସ୍ତାନ ସରକାର ମଧ୍ୟ ଚିନ୍ତାରେ ଅଛନ୍ତି । ରୁଟି ଖାଇବା ପାଇଁ ମଧ୍ୟ ହାହାକାର ସୃଷ୍ଟି ହୋଇଛି । ଲୋକେ ଏକ କିଲୋ ଅଟା ପାଇଁ ମଧ୍ୟ ବ୍ୟାକୁଳ ହେଉଛନ୍ତି । କିଛିଦିନ ତଳେ ମଗଣା ଅଟା ପାଇଁ ଲୋକେ ଦଳଚକଟା ହୋଇଥିଲେ । ଯେଉଁଥିରେ ପାଖାପାଖି ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ମହିଳା ଏବଂ ବୃଦ୍ଧ ଲୋକ ଅନ୍ତର୍ଭୁକ୍ତ ଥିଲେ । ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ କମିବାରେ ଲାଗିଛି । ତେଣୁ ପାକିସ୍ତାନ ବର୍ତ୍ତମାନ ଋଣ ପାଇଁ ଇଣ୍ଟରନେସନାଲ ମନିଟ୍ରୀ ଫଣ୍ଡ ସାହାଯ୍ୟରେ ଗୁହାରୀ ଅବେଦନ କରୁଛି । ହେଲେ ସଂସ୍ଥା ସେଥିପାଇଁ ଅନେକ ସର୍ତ ରଖିଛି । ଏହି କାରଣରୁ ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି ।

Get real time updates directly on you device, subscribe now.