fbpx

‘ଭାରତ ଚନ୍ଦ୍ରରେ ପହଞ୍ଚିଗଲା, ଆମେ ନିଜ ଭିତରେ ଲଢ଼େଇରେ ବ୍ୟସ୍ତ ରହୁଛେ’: ଭାରତର ଚନ୍ଦ୍ରଯାନ-୩ ସଫଳତାକୁ ନେଇ ପାକିସ୍ତାନୀ ଟିଭି ଚାନେଲର ପ୍ରତିକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ୨୩ ତାରିଖରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରି ଇତିହାସ ରଚିଥିଲା । ଏହି ଅବସରରେ ବିଶ୍ୱର କୋଣ ଅନୁକୋଣରୁ ଭାରତକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ତେବେ ଏହି ପ୍ରଶଂସାରୁ ବାଦ୍ ପଡ଼ିନାହିଁ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ । ଭାରତ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ପରେ ପାକିସ୍ତାନୀ ଟିଭି ଚାନେଲରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଭାରତର ଚନ୍ଦ୍ରଯାନ-୩ର ସୂକ୍ଷ୍ମ ଅବତରଣର ଲାଇଭ୍ ପ୍ରସାରଣ ପାକିସ୍ତାନୀ ନ୍ୟୁଜ୍ ଚାନେଲରେ ଦେଖିବାକୁ ମିଳିଥିଲା । ବିଶ୍ୱର ଏକମାତ୍ର ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ହାସଲ କରିଥିବାରୁ ଏହି ଅବସରରେ ପାକିସ୍ତାନୀ ମିଡ଼ିଆ ଭାରତର ଖୁବ୍ ପ୍ରଶଂସା କରିଥିଲା । ଏହି ଐତିହାସିକ ମହାକାଶ ମିଶନ ଭାରତକୁ ବିଶ୍ୱ ଦରବାରରେ ଗର୍ବିତ କରାଇଥିବା ବେଳେ ପଡ଼ୋଶୀ ଦେଶ ଖୋଲାଖୋଲି ଭାବେ ଭାରତର ସଫଳତାକୁ ପ୍ରଶଂସା କରିଛି ।

ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ପରେ ପାକିସ୍ତାନୀ ମିଡ଼ିଆରେ କୁହାଯାଇଛି, ‘କି ଦୃଶ୍ୟ ଥିଲା, ଆମେ ଏଠାରେ ଷ୍ଟୁଡିଓ ଭିତରେ ବସି ଖୁସି ଅନୁଭବ କରୁଛୁ ।’ ଜିଓ ନ୍ୟୁଜ ନାମକ ଏକ ପାକିସ୍ତାନୀ ଟିଭି ଚାନେଲରେ ନ୍ୟୁଜ୍ ଆଙ୍କର ହୁମା ଆମିର ଓ ଅବଦୁଲ୍ଲା ସୁଲତାନ ଏପରି କହୁଥିବାର ଦେଖାଯାଇଥିଲା । ‘ଭାରତ ଚନ୍ଦ୍ରରେ ପହଞ୍ଚିଗଲା, ଆମେ ନିଜ ନିଜ ଭିତରେ ଲଢ଼େଇରେ ବ୍ୟସ୍ତ ରହୁଛେ । ଆମକୁ ଆଗକୁ ଯିବାକୁ ପଡ଼ିବ ।’ ପ୍ରସାରଣ ସମୟରେ ଚାନେଲ ପକ୍ଷରୁ ଏପରି କୁହାଯାଇଥିଲା । ପାକିସ୍ତାନରେ ଜାରି ରହିଥିବା ସଙ୍କଟଜନକ ପରିସ୍ଥିତିକୁ ଆଧାର କରି ଏହି ମନ୍ତବ୍ୟ ପ୍ରଦାନ କରାଯାଇଥିଲା । ଅଗଷ୍ଟ ୧୩ରେ ହୁମା ଓ ଅବଦୁଲା ଉଭୟେ ଚନ୍ଦ୍ରଯାନ-୩ ଓ ଚନ୍ଦ୍ରର ଦକ୍ଷିଣ ମେରୁରେ ତା’ର ସୂକ୍ଷ୍ମ ଅବତରଣ ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଭାରତର ଲୁନାର ମିଶନ ବାସ୍ତବିକ ‘ଅତ୍ୟନ୍ତ ଚମତ୍କାର’ ଥିଲା ବୋଲି ହୁମା କହିଥିଲେ ।

Get real time updates directly on you device, subscribe now.