ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଏହାସହିତ ମ୍ୟାଚ୍ ମଧ୍ୟ ନିଜ ହାତମୁଠାକୁ ଆଣିଛି ରିଜୱାନ ସେନା । ତେବେ ଏହି ବିଜୟ ସହ ୨୦୨୪ରେ ଏକ ଇତିହାସ ସୃଷ୍ଟି କରିଛି ପାକିସ୍ତାନ । ଚଳିତବର୍ଷ ପାକିସ୍ତାନ ସର୍ବାଧିକ ବିଜୟ ହାସଲ କରିଥିବା ଦଳ ପାଲଟି ଯାଇଛି । ୨୦୨୪ ମସିହାର ସବୁଠାରୁ ଶ୍ରେଷ୍ଠ ଦିନିକିଆ ଟିମ୍ ପାଲଟିଛି ପାକିସ୍ତାନ । ଏହି ତାଲିକାରେ ଖୁବ ପଛରେ ରହିଛି ଟିମ ଇଣ୍ଡିଆ । ଚଳିତବର୍ଷରେ ଭାରତ ଗୋଟିଏ ବି ଦିନିକିଆ ମ୍ୟାଚ୍ ଜିତିବାରେ ସଫଳ ହୋଇ ପାରିନାହିଁ ।
ଦକ୍ଷିଣ ଆଫ୍ରିକାକୁ ତୃତୀୟ ଦିନିକିଆରେ ପରାସ୍ତ କରିଛି ପାକିସ୍ତାନ । ଦକ୍ଷିଣ ଆଫ୍ରିକାର ୩୦୮ ରନ୍ ଲକ୍ଷ୍ୟକୁ ମାତ୍ର ୪୨ ଓଭରରେ ହାସଲ କରି ପାକିସ୍ତାନ ବିଜୟ ହାସଲ କରିଛି । ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ କ୍ଲିନ ସ୍ୱିପ୍ କରିବା ସହ ନୂଆ ରେକର୍ଡ ସୃଷ୍ଟି କରିଛି ଦଳ । ଚଳିତବର୍ଷରେ ପାକିସ୍ତାନ ମୋଟ ୯ ଟି ମ୍ୟାଚ୍ ଖେଳିଥିବା ବେଳେ ୭ଟି ମ୍ୟାଚରେ ବିଜୟ ହାସଲ କରିଛି ଏବଂ ୨ଟି ମ୍ୟାଚରେ ପରାସ୍ତ ହୋଇଛି । ଏହିବର୍ଷରେ ପାକିସ୍ତାନ ବିଜୟ ପ୍ରତିଶତ ୭୭.୭୭% ରହିଛି । ଏହାପରେ ଶ୍ରୀଲଙ୍କା ଏବଂ ଆମେରିକା ଚଳିତବର୍ଷ ୬୬.୬୬% ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଅର୍ଥାତ୍ ବିଜୟ ପ୍ରତିଶତ ଆଧାରରେ ପାକିସ୍ତାନ ପରେ ଶ୍ରୀଲଙ୍କା ଏବଂ ଆମେରିକା ସଂଯୁକ୍ତ ଭାବରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଚଳିତବର୍ଷ ଶ୍ରୀଲଙ୍କା ସର୍ବାଧିକ ମ୍ୟାଚରେ ବିଜୟ ହାସଲ କରିଛି । ୨୦୨୪ରେ ଶ୍ରୀଲଙ୍କା ୧୮ଟି ଦିନିକିଆ ଖେଳିଥିବା ବେଳେ ଏଥିରୁ ୧୨ଟି ମ୍ୟାଚରେ ବିଜୟ ହାସଲ କରିଛି ଦଳ । ଆମେରିକା, ଆଫଗାନିସ୍ତାନ ଏବଂ କାନାଡ଼ା ଚଳିତବର୍ଷ ୮ଟି ଲେଖାଏଁ ମ୍ୟାଚ ବିଜୟ ସହ ସଂଯୁକ୍ତ ରୂପରେ ତୃତୀୟ ସ୍ଥାନରେ ରହିଛନ୍ତି । ଆମେରିକା ୧୨ଟି ମ୍ୟାଚରୁ ୮ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଆଫଗାନିସ୍ତାନ ୧୪ ମ୍ୟାଚରୁ ୮ଟି ବିଜୟ ହାସଲ କରିଛି ଏବଂ କାନାନଡ଼ା ୧୫ଟି ମ୍ୟାଚରୁ ୮ଟି ବିଜୟ ହାସଲ କରିଛି ।
ତେବେ ଟିମ ଇଣ୍ଡିଆ ଏହି ତାଲିକାରେ ଖୁବ ପଛରେ ରହି ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି । ୨୦୨୪ରେ ଭାରତ ଗୋଟିଏ ବି ଦିନିକିଆ ମ୍ୟାଚ ଜିତିବାରେ ସଫଳ ହୋଇ ପାରିନାହିଁ । ଶ୍ରୀଲଙ୍କା ବିପକ୍ଷ ୩ଟି ଦିନିକିଆ ମ୍ୟାଚରୁ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୋଇଥିଲା । ଏହାପରେ ବାକି ୨ଟି ମ୍ୟାଚରେ ପରାସ୍ତ ହୋଇଛି ରୋହିତ ସେନା । ତେବେ କ୍ରିକେଟ ଇତିହାସ ଚତୁର୍ଥ ଥର ପାଇଁ ଏଭଳି ଦୁର୍ଦ୍ଦିନ ଦେଖଇଛି ଟିମ ଇଣ୍ଡିଆ । ଏହାପୂର୍ବରୁ ୧୯୭୪, ୧୯୭୬ ଏବଂ ୧୯୭୯ରେ ଭାରତ ସମସ୍ତ ଦିନିକିଆ ମ୍ୟାଚ୍ ପରାସ୍ତ ହୋଇଥିଲା ।