ପାଣ୍ଡୋରା ପେପର୍ସ ଲିକ୍; ରିପୋର୍ଟରେ ରହିଛି ପ୍ରାୟ ୩୦୦ ଭାରତୀୟଙ୍କ ନାଁ, ବଢ଼ିପାରେ ଧନୀଲୋକଙ୍କ ଅଡୁଆ

ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ନାଁରେ ଆଉ ଏକ ତଥ୍ୟ ଲିକ୍ ଘଟଣା ସାମ୍ନାକୁ ଆସିଛି । ଏଥିରେ ଗୁପ୍ତ ସମ୍ପତ୍ତି ରଖିଥିବା ଓ ବେଆଇନ୍ ଉପାୟରେ ନିବେଶ ଭଳି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାଁ ରହିଛି । ରିପୋର୍ଟରେ ଭାରତର ପ୍ରାୟ ୩୦୦ ନେତା, ବ୍ୟବସାୟୀ ଓ ଧନୀ ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା କୁହାଯାଇଛି । ନାମୀଦାମୀ ବ୍ୟବସାୟୀ ଓ ତଦନ୍ତ ଏଜେନ୍ସିକୁ ସାମ୍ନା କରୁଥିବା କିଛି ବ୍ୟକ୍ତି ଏଥିରେ ସାମିଲ ଥିବା କୁହାଯାଉଛି । ଏପରିକି ଭାରତର କିଛି ପୂର୍ବତନ ସାଂସଦଙ୍କ ନାଁ ଏଥିରେ ରହିଛି । ଏଡିଏଜିର ମୁଖ୍ୟ ଅନିଲ ଅମ୍ବାନି, ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ’ଙ୍କ ସ୍ବାମୀଙ୍କ ନାମ ଏହି ତାଲିକାରେ ରହିଛି।

ଏହା ବ୍ୟତୀତ ବିଶ୍ୱର ଅନେକ ବରିଷ୍ଠ ଓ ପ୍ରଭାବଶାଳୀ ନେତାଙ୍କ ନାଁ ଏଥିରେ ସାମିଲ ଥିବା କୁହାଯାଇଛି । ଯେଉଁ ଭାରତୀୟଙ୍କ ନାଁ ଏଥିରେ ରହିଛି, ସେମାନଙ୍କ ପାଇଁ ବଢ଼ିପାରେ ଅଡୁଆ । ୨୦୧୬ରେ ପାନାମ ପେପର୍ସ ଜାରି କରିଥିବା ସଂସ୍ଥା ଆଇସିଆଇଜେ ପକ୍ଷରୁ ପାଣ୍ଡୋରା ପେପର୍ସ ରିପୋର୍ଟ ପ୍ରକାଶ ପାଇଛି । ଆର୍ଥିକ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ପର୍ଦ୍ଦାଫାସ ବୋଲି ଆଇସିଆଇଜେ ଦାବି କରିଛି ।

ସେହିପରି ପାଣ୍ଡୋରା ପେପର୍ସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍‌ରାନ୍ ଖାନଙ୍କ ସମ୍ପର୍କୀୟ, ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଜୋର୍ଡାନ୍‌ର ରାଜା; ୟୁକ୍ରେନ, କେନିଆ, ଓ ଇକ୍ବେଡରର ରାଷ୍ଟ୍ରପତି ଓ ଚେକ୍‌ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ରଖିଥିବା ଗୁପ୍ତ ସମ୍ପତ୍ତି ସମ୍ପର୍କରେ ସୂଚନା ରହିଛି।