ଗୋଡ଼, ହାତ ନ ଥାଇ ପାଲୟ ବନିଲେ ‘Golden Girl’ ଓଡ଼ିଶା ପାଇଁ ଆଣିଲେ ଗୌରବ
ପ୍ରଶଂସା ସାଉଁଟୁଛନ୍ତି ପାୟଲ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜଣାଇଲେ ଶୁଭେଚ୍ଛା ।
ଭୁବନେଶ୍ୱର: ଓଡ଼ିଶାର ଗୋଲ୍ଡେନ୍ ଗର୍ଲ ପାଲୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ଥାନରେ ସୋମବାର ଶେଷ ହୋଇଥିବା ଷଷ୍ଠ ଜାତୀୟ ପାରା ତୀରନ୍ଦାଜି ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତି ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ୧୭ ବର୍ଷୀୟା ଦିବ୍ୟାଙ୍ଗ ପାୟଲ ନାଗ।
ଜୟପୁରସ୍ଥିତ ପୂର୍ଣ୍ଣିମା ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ବ୍ୟକ୍ତିଗତ ମହିଳା କମ୍ପାଉଣ୍ଡରେ ପାୟଲ୍ ପାରା ଅଲିମ୍ପିଆନ୍ ଶୀତଲ ଦେବୀଙ୍କୁ ହରେଇ ଅପ୍ରତ୍ୟାଶିତ ଭାବେ ଚର୍ଚ୍ଚାକୁ ଆସିଛନ୍ତି । ଜମ୍ମୁ କଶ୍ମୀରର ପ୍ରତିନିଧିତ୍ବ କରିଥିବା ଶୀତଲ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବା ବେଳେ ଉତ୍ତରପ୍ରଦେଶର ଜ୍ୟୋତି କୁମାରୀ କାଂସ୍ୟ ପଦକ ହାସଲ କରିଥିଲେ ।
ବଲାଙ୍ଗୀର ଜିଲ୍ଲାର ପାୟଲ ଏବେ ଟିକରପଡ଼ା କଲେଜରେ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀ । ଗତବର୍ଷଠାରୁ ପାୟଲ ଜମ୍ମୁକଶ୍ମୀରରେ ରହି ତାଲିମ ନେଉଛନ୍ତି। ଜାତୀୟ ପାରା ତୀରନ୍ଦାଜିରେ ପୂର୍ବରୁ କୌଣସି ଓଡ଼ିଆ ଖେଳାଳି ପଦକ ଜିତି ନଥିବା ବେଳେ ପାୟଲ ନୂଆ ଇତିହାସ ରଚିଛନ୍ତି।
ବଲାଙ୍ଗୀର ମୁରିବାହାଲ ବ୍ଲକ୍ ଯମୁନାବାହାଲ ଗାଁର ବିଜୟ ନାଗ ଓ ଜନତ ନାଗଙ୍କ ଝିଅ ପାୟଲ। ୨୦୧୫ ମସିହାରେ ମାତ୍ର ୮ ବର୍ଷ ବୟସରେ ପିତାମାତାଙ୍କ ସହ ରାୟପୁର ଯାତ୍ରା କରୁଥିବା ବେଳେ ଏକ ଭୟଙ୍କର ବିଦ୍ୟୁତ ଦୁର୍ଘଟଣାରେ ସେ ଉଭୟ ଗୋଡ଼ ଓ ଗୋଟିଏ ହାତ ହରାଇଥିଲେ। ଯାହା ତାଙ୍କୁ ସମ୍ପୂର୍ଣ୍ଣ ଅକ୍ଷମ କରିଦେଇଥିଲା ।
ନିଜ ଦୃଢ଼ ଇଚ୍ଛାଶକ୍ତି, ସଙ୍କଳ୍ପ ଓ ସାଧନା କାରଣରୁ ପାୟଲ କମ୍ ବୟସ ଏବଂ ଶରୀରିକ ଭାବେ ଅକ୍ଷମ ହୋଇ ମଧ୍ୟ ସଫଳତାକୁ ଛୁଇଁ ଆଜି ଇତିହାସ ରଚିଛନ୍ତି ।