fbpx

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,: ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ବେଶ୍‌ ସରଗରମ ହେବ ବୋଲି ଆଶା କରାଯାଉଛି । ମୁଖ୍ୟ ବିରୋଧୀ କଂଗ୍ରେସ ୧୫ରୁ ୧୬ଟି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ ବୋଲି ନିଷ୍ପତ୍ତି ନେଇସାରିଛି । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ, ଶିବସେନା ଓ ଏନ୍‌ସିି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ବିଶେଷକରି ବିରୋଧୀ ଦଳଗୁଡ଼ିକ କ୍ରମାଗତ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଓ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି । ଏଥିସହ ପଡୋଶୀ ରାଷ୍ଟ୍ର ସହ ଲାଗି ରହିଥିବା ସୀମା ବିବାଦ ସମ୍ପର୍କରେ ମଧ୍ୟ ବିରୋଧୀ ସଂସଦରେ ହୋ ହଲ୍ଲା କରିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ବି ଏବେ ମଧ୍ୟ ଚାଷୀଙ୍କ ଆନ୍ଦୋଳନ ଜାରୀ ରହିଛି । ସେହିପରି ଦରଦାମ ବୃଦ୍ଧି ଚରମସୀମାରେ ପହଞ୍ଚିଛି । ଏହିସବୁ ପ୍ରସଙ୍ଗକୁ ବିରୋଧୀ ସଂସଦରେ ଉଠାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷରେ ସଂସଦ କିରି ସୁରୁଖୁରୁରେ ଚାଲିପାରିବ ସେ ନେଇ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ରବିବାର ସରକାରଙ୍କ ପକ୍ଷରୁ ଏହି ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ୩୧ଟି ଦଳର ସଦସ୍ୟ ଯୋଗ ଦେଇଥିଲେ । ବୈଠକରେ ସମ୍ପୃକ୍ତ ଦଳର ୪୨ ଜଣ ନେତା ଯୋଗ ଦେଇ ବିତର୍କରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଆଶା କରାଯାଉ ଥିଲେ ମଧ୍ୟ ସେ ଆସି ନଥିଲେ । ଏହି ପ୍ରସଙ୍ଗରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସଫେଇ ଦେଇ କହିଛନ୍ତି ଯେ, ସର୍ବଦଳୀୟ ବୈଠକକୁ ମୋଦି ଯୋଗ ଦେବାର ପରମ୍ପରା ଆରମ୍ଭ କରିଥିଲେ । ଏହା ପୂର୍ବରୁ କେବଳ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗ ଦେଇ ଆସୁଥିଲେ । ହେଲେ ବୈଠକକୁ ପ୍ରଧାନମନ୍ତ୍ରୀ ଆସିପାରି ନାହାନ୍ତି ।

ଏନେଇ ରାଜ୍ୟସଭାର ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି, ଆମେ ଆଶା କରୁଥିଲୁ ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକକୁ ଆସିବେ । ଆମେ କୃଷି ବିଲ୍‌ ଉପରେ ତାଙ୍କ ମତାମତ ପଚାରିବାକୁ ଚାହୁଁଥିଲୁ ବୋଲି ସେ କହିଥିଲେ । ତେବେ ସର୍ବଦଳୀୟ ବୈଠକରେ ବିରୋଧି ଦଳ ପେଗାସସ୍‌ ବିବାଦ, ମୁଦ୍ରାସ୍ଥୀତି, କୃଷକ ଏବଂ କରୋନା ସମେତ ଅନେକ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିଥିଲେ । କୋଭିଡ଼-୧୯ କାରଣରୁ ଏବଂ କୃଷି ଆଇନ ସହ ଜଡ଼ିତ ଆନ୍ଦୋଳନ ସମୟରେ ଯେଉଁ ଚାଷୀ ପ୍ରାଣ ହରାଇଛନ୍ତି ସେମାନଙ୍କୁ ସରକାର ଉପଯୁକ୍ତ କ୍ଷତି ପୂରଣ ଦେବା ଉଚିତ ବୋଲି ବିରୋଧି ଦଳ ଦାବି କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ବୈଠକର ଆୟୋଜନ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ ବହୁ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.