fbpx
BSKY
BJD SHG SKY
BJD YOUTH SKY

ଶବଦାହ ପାଇଁ ଯାଉଥିବା ବେଳେ ଶବ ପାଲଟିଗଲେ: ଶବବାହୀ ଗାଡ଼ିକୁ ପିଟିଲା ଟ୍ରକ୍, ୧୮ ମୃତ

କୋଲକାତା: ମୃତ୍ୟୁ ବି ଏମିତି ଆସେ । ଶବଦାହ ପାଇଁ ଯାଉଥିବା ଲୋକମାନେ ନିଜେ ଶବ ପାଲଟିଯିବା ଘଟଣା ସମଗ୍ର କୋଲକାତାରେ ଆଲୋଡନ ସୃଷ୍ଟି କରିଛି । ପଶ୍ଚିମବଙ୍ଗ ନଦୀୟା ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି । ନଦୀୟା ଜିଲ୍ଲା ହଂସଖାଲି ଫୁଲବାଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ଚବିଶ ପ୍ରଗଣାରୁ ଏକ ମୃତଦେହ ନେଇ କେତେକ ବ୍ୟକ୍ତି ଗାଡ଼ିରେ ନବଦ୍ୱୀପ ଶ୍ମଶାନକୁ ଯାଉଥିବାବେଳେ ଫୁଲବାଡି ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ୫ ଜଣ ଗୁରୁତର ହୋଇଥିଲେ । ତେବ ହସ୍ପିଟାଲ୍‌ରେ ଅନ୍ୟ ଜଣେ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତର ଚବିଶ ପ୍ରଗଣାର ବାଗଦାରୁ ଏକ ଭ୍ୟାନରେ ଏହି ମୃତଦେହ ସଂସ୍କାର ପାଇଁ ନିଆଯାଉଥିଲା । ଭ୍ୟାନଟିରେ ମୋଟ ୨୨ ଜଣ ବ୍ୟକ୍ତି ରହିଥିଲେ । ଖବର ପାଇବାପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ମୃତ ଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ ଘନକୁହୁଡ଼ି ଏବଂ ଦ୍ରୁତ ଗତିଯୋଗୁଁ ଏହି ଦୁର୍ଘଟଣା ଘଟିଛି । ନଦୀୟା ଥାନା ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଦୁଃଖ ବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜଣାଇଛନ୍ତି । ଏଥି ସହିତ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପାଇଁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.