fbpx

ମଝି ଆକାଶରେ ଉଡ଼ିଗଲା ଯାତ୍ରୀଙ୍କ ପ୍ରାଣବାୟୁ, ମେଡିକାଲ ଏମରଜେନ୍ସିରେ ପୁଣି ଦିଲ୍ଲୀ ଫେରିଆସିଲା ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ିଗଲା ପ୍ରାଣବାୟୁ । ବିମାନରେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କର ଘଟିଛି ମୃତ୍ୟୁ । ସେ ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିଲେ । ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିବାରୁ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଛି । ଯାତ୍ରାର ୩ ଘଣ୍ଟା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିଲା ।

ଏୟାର ଇଣ୍ଡିଆର ଜଣେ ଅଧିକାରୀ ନ୍ୟୁଜ୍‌ ଏଜେନ୍ସି ଏଏନଆଇକୁ ଏହି ସୂଚନା ଦେଇଛନ୍ତି । ମେଡିକାଲ ଇମାର୍ଜେନ୍ସି ପାଇଁ ବିମାନଟି ପ୍ରତ୍ୟାବର୍ତ୍ତନ କରିଥିବା କୁହାଯାଇଛି । ବିମାନଟି ଦିଲ୍ଲୀରେ ପହଞ୍ଚିବା ପରେ ଏକ ଡାକ୍ତରୀ ବିଶେଷଜ୍ଞ ଟିମ୍‌ ପହଞ୍ଚି ସମ୍ପୃକ୍ତ ଯାତ୍ରୀଙ୍କୁ ଭଲଭାବେ ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଯାତ୍ରୀ ଜଣଙ୍କ ଆମେରିକୀୟ ହୋଇଥିବା ବେଳେ ସେ ତାଙ୍କ ପତ୍ନୀଙ୍କ ସହ ଯାତ୍ରା କରୁଥିଲେ । ଅନ୍ୟପକ୍ଷରେ ଫ୍ଲାଇଟ୍‌ ଟାଇମ୍‌ ଡ୍ୟୁଟି ନିୟମ ଅନୁଯାୟୀ ବାକି ଯାତ୍ରୀମାନଙ୍କୁ ସେହି ବିମାନରେ ପୁଣି ନ୍ୟୁୟର୍କ ପଠାଯିବାର ବ୍ୟବସ୍ଥା କରାଯାଇଛି । ତେଣୁ ନୂଆ କ୍ରୁ ମେମ୍ବର ସହ ଉକ୍ତ ବିମାନଟି ରାତି ପ୍ରାୟ ୪ଟାରେ ପୁଣି ଆମେରିକା ଅଭିମୁଖେ ଉଡ଼ାଣ ଭରିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । ତେବେ ସମ୍ପୃକ୍ତ ଘଟଣାକୁ ନେଇ ଏୟାରପୋର୍ଟ ଥାନାରେ ରିପୋର୍ଟ ହୋଇଛି ।

Get real time updates directly on you device, subscribe now.