fbpx

ଖୁଚୁରା ନଥିଲେ ‘ମୋ ବସ୍’ରେ ଯାଇପାରିବେନି ଯାତ୍ରୀ: ପୋଷ୍ଟ କରି ସୂଚନା ଦେଲା କ୍ରୁଟ!

Advertisement

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ ବସ୍’ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର ସାମନାକୁ ଆସିଛି । ଏଣିକି ପାଖରେ ଖୁଚୁରା ଟଙ୍କା ନଥିଲେ ‘ମୋ ବସ୍’ରେ ଯାତ୍ରା କରି ପାରିବେନି ଯାତ୍ରୀ । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ) ତରଫରୁ ହୋଇଥିବା ଏଭଳି ଏକ ପୋଷ୍ଟକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା । ରାଜ୍ୟ ସରକାରଙ୍କ ତରଫରୁ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଏହି ସେବାରେ ମଧ୍ୟ ବର୍ତ୍ତମାନ ବାଛବିଚାର କରିବା ଆରମ୍ଭ ହୋଇଛି । କାରଣ ଏଣିକି ବସରେ ଯିବା ପାଇଁ ମଧ୍ୟ ଲାଗୁ ହୋଇଛି ସର୍ତ୍ତ ।

ତେବେ କ୍ରୁଟ କରିଥିବା ଏହି ପୋଷ୍ଟରେ ଏ ନେଇ ସିଧାସଳଖ ଘୋଷଣା କରିନାହିଁ । ପୋଷ୍ଟରେ କୁହାଯାଇଛି ଯେ, ଖୁଚୁରା ଟଙ୍କା ପାଖରେ ରଖନ୍ତୁ, ଟିକେଟର ମୂଲ୍ୟ ଅନୁସାରେ ଦିଅନ୍ତୁ । ତେବେ ଏହାର ଅର୍ଥ ଖୁଚୁରା ଟଙ୍କା ନ ରହିବାରୁ କିଛି ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ୁଥିବା ଅଭିଯୋଗ ହେଉଛି । ତେଣୁ ଏହି ସମସ୍ୟାକୁ ସାମନା ନ କରିବା ପାଇଁ ନିଜ ପାଖରେ ଖୁଚୁରା ଟଙ୍କା ରଖିବା ପାଇଁ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛି କ୍ରୁଟ । କିନ୍ତୁ ଏହି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ଲୋକେ ବର୍ତ୍ତମାନ କ୍ରୁଟର ଏଭଳି ନିୟମକୁ ବିରୋଧ କରୁଥିବା ଦେଖାଯାଉଛି । କଣ୍ଡକ୍ଟର କାହିଁକି ଖୁଚୁରା ଟଙ୍କା ରଖିବେ ନାହିଁ ବୋଲି ଅନେକ ଯାତ୍ରୀ ପ୍ରଶ୍ନ ଉଠାଇଛନ୍ତି । ଯାତ୍ରୀମାନେ ଏଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଯାତ୍ରୀ ।

ଖୁଚୁରା ସମସ୍ୟାକୁ ଦୂର କରିବା ପାଇଁ ହେଲେ ‘ମୋ ବସ୍’ରେ ମଧ୍ୟ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଲାଗୁ କରିବା ପାଇଁ ୫୦ରୁ ଅଧିକ ଯାତ୍ରୀ ଦାବି କରିଛନ୍ତି । ଛୋଟ ଛୋଟ ଦୋକାନରେ ବର୍ତ୍ତମାନ ୟୁପିଆଇ ପେମେଣ୍ଟ ସୁବିଧା ଉପଲବ୍ଧ ହୋଇଥିବା ବେଳେ ‘ମୋ ବସ୍’ରେ ଏହି ବ୍ୟବସ୍ଥା ଆରମ୍ଭ କରିବା ଉଚିତ୍ ବୋଲି କହିଛନ୍ତି ଯାତ୍ରୀ । ଖୁଚୁରା ସମସ୍ୟା ଦୂର କରିବାରେ ଏହା ଖୁବ ସହାୟକ ହୋଇପାରେ । ତେବେ ଅନେକ ସ୍ଥାନରେ ଖୁଚୁରା ନ ଥିବାରୁ ଲୋକମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଉଥିବା ଦେଖିବାକୁ ମିଳିଛି । ତେଣୁ ଏହାର ସମାଧାନ ନିମନ୍ତେ ‘ମୋ ବସ୍’ରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଯାତ୍ରୀମାନେ ଦାବି କରୁଛନ୍ତି ।

Get real time updates directly on you device, subscribe now.