fbpx

୩ ବର୍ଷ ପରେ ରାଜଧାନୀକୁ ଫେରିଲା ପଥ ଉତ୍ସବ: କମ୍ପି ଉଠୁଛି ଭୁବନେଶ୍ୱର ସହର, ଶୀତୁଆ ସକାଳର ମଜା ନେଉଛନ୍ତି ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନେ ନୁହେଁ କି ଦୁଇଦିନ ନୁହେଁ । ପାଖାପାଖି ୩ ବର୍ଷ ପରେ ରାଜଧାନୀ ଭୁବନେଶ୍ୱରକୁ ପୁଣି ଥରେ ଫେରିଛି ପଥ ଉତ୍ସବ । ଏହି ଅବସରରେ ରାଜଧାନୀର ଜନପଥ ରୋଡ଼ ସକାଳ ୬ଟାରୁ ହୋଇ ଉଠିଛି ଚଳଚଞ୍ଚଳ । ଶୀତୁଆ ସକାଳରେ ଆଜି ରାଜଧାନୀବାସୀ ଖୁସିର ସହ ଏହି ଉତ୍ସବର ମଜା ନେଇଛନ୍ତି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ମଜା ନେଉଥିବା ଦେଖାଯାଇଛି ।

ଆଜି ରାଜଧାନୀର ରାମ ମନ୍ଦିର ଛକଠାରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ଏହି ଉତ୍ସବ ଆୟୋଜିତ ହେବ । ସେଥିପାଇଁ ଦୁଇଟି ସାଂସ୍କୃତିକ ମଞ୍ଚ ପ୍ରସ୍ତୁତ କରାଯାଇଛି । ଲୋକମାନେ ସକାଳୁ କିପରି ଫିଟ୍ ରହିପାରିବେ, ସେଥିପାଇଁ ସାଇକେଲିଂ, ଯୋଗ, ସ୍କେଟିଂର ସୁବିଧା କରାଯାଇଛି । ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଅବସରରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ରକ ବ୍ୟାଣ୍ଡ ଗ୍ରୁପ୍, ସମ୍ବଲପୁରୀ ଡ୍ୟାନ୍ସ ଗ୍ରୁପ ଓ ଗୀତ ପରିବେଷଣ କରାଯିବ । ଛୋଟ ପିଲାମାନେ ମଧ୍ୟ ଡ୍ରଇଂ କରିବେ ।

ସୂଚନାଯୋଗ୍ୟ, ଆସନ୍ତାମାସରେ ରାଜଧାନୀରେ ହକି ବିଶ୍ୱକପ୍ ଆୟୋଜିତ ହେବାକୁ ଯାଉଛି । ତେଣୁ ରାଜଧାନୀକୁ ସରସ ସୁନ୍ଦର କରିବା ସହିତ ହକିର ପ୍ରଚାର ପ୍ରସାର ପାଇଁ ବିଏମସି ଓ ବିଡିଏ ପକ୍ଷରୁ ଅଭିନବ ପ୍ରୟାସ କରାଯାଉଛି । ସେଥିପାଇଁ ପଥ ଉତ୍ସବ ପୁଣି ଫେରିଥିବା ବେଳେ ପ୍ରଦର୍ଶନୀ ପଡ଼ିଆ ଓ ଏକାମ୍ର ହାଟରେ ବିଭିନ୍ନ ଖାଦ୍ୟ ପ୍ରଦର୍ଶନୀ, ବଲିଉଡ ତାରକାଙ୍କ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଆସନ୍ତା ମାସ ୮ ଓ ୧୫ ତାରିଖରେ ମଧ୍ୟ ରାଜଧାନୀରେ ପଥ ଉତ୍ସବ ଆୟୋଜିତ ହେବ । ଆଜି ବିଶ୍ୱକପ ଟ୍ରଫି ବିମାନ ବନ୍ଦରରେ ପହଞ୍ଚିବ । ତେଣୁ ସେଠାରେ ଓ ବିଭିନ୍ନ ଛକ, ଗହଳି ସ୍ଥାନରେ ତାହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ।

Get real time updates directly on you device, subscribe now.