ପାଟଣାଗଡ଼ ପାର୍ସଲ ବୋମା ରାୟ ଶୁଣାଣି; ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡ
ଆସିଲା ପାର୍ସଲ ବୋମା ବିସ୍ଫୋରଣର ରାୟ ଶୁଣାଣି। ପୁଞ୍ଜିଲାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ ପାଟଣାଗଡ଼ ଏଡିଜେ କୋର୍ଟ ।
ବଲାଙ୍ଗୀର: ଆସିଲା ପାର୍ସଲ ବୋମା ବିସ୍ଫୋରଣର ରାୟ ଶୁଣାଣି। ପୁଞ୍ଜିଲାଲଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ 50 ହଜାର ଟଙ୍କା ଜୋରିମାନା କଲେ ପାଟଣାଗଡ଼ ଏଡିଜେ କୋର୍ଟ । ଦୀର୍ଘ 7 ବର୍ଷ ପରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । 2018 ଫେବୃଆରି 23ରେ ଘଟିଥିଲା ଘଟଣା । ପାର୍ସଲ ବୋମା ଫୁଟି ଜେଜେ ମା’ ଓ ନବବିବାହିତ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିଲା ।
ପ୍ରକାଶଥାଉକି, 2018 ମସିହା ଫେବୃୟାରୀ 23 ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚର୍ଚ୍ଚିତ ରହିଥିଲା । ଏହି ଘଟଣାରେ ସୌମ୍ୟଶେଖର ସାହୁ ଓ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ଥିବା ବିବାଦ କାରଣରୁ ପୁଞ୍ଜିଲାଲ୍ ମେହେର ଏହି କାଣ୍ଡ ଭିଆଇଥିବା କୁହାଯାଉଛି।
ଅଭିଯୋଗ ଅନୁସାରେ, ଅତି ଚତୁରତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମା ଫୁଟାଇବାରେ ସଫଳ ହୋଇଥିଲା। ମାମଲାର ଖୋଳତାଡ଼ କରି ପୁଲିସ ବି ଝାଳନାଳ ହୋଇଥିଲା। ୟୁଟ୍ୟୁବ୍ରୁ ପାର୍ସଲ ବୋମା ତିଆରି କରିବାର କୌଶଳ, ତାକୁ ଠିକଣା ସ୍ଥାନକୁ ପଠାଇବା ଏବଂ ବୋମା ସଫଳ ଭାବେ ବିସ୍ଫୋରଣ ହେବା ଏସବୁ ଘଟଣାବଳୀ ସମସ୍ତଙ୍କୁ ତାଜୁବ୍ କରି ଦେଇଥିଲା। ମୋଟାମୋଟି ଭାବେ ବୃତ୍ତିଗତ ଶତ୍ରୁତା କାରଣରୁ ହିଁ ଏହି ଜଘନ୍ୟ କାଣ୍ଡ ପୁଞ୍ଜିଲାଲ ଭିଆଇଥିବା କୁହାଯାଉଛି।
7 ବର୍ଷ ପରେ ଫଇସଲା
7 ବର୍ଷର ତଦନ୍ତ ଏବଂ ଆଇନଗତ କସରତ ପରେ ପାର୍ସଲ ବୋମା ବିସ୍ଫୋରଣର ରାୟ ପ୍ରକାଶ ପାଇବ। ଏହି ଅବଧି ମଧ୍ୟରେ 62 ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। କ୍ରାଇମ୍ବ୍ରାଞ୍ଚ 2 ହଜାର ଫର୍ଦ୍ଦର ଚାର୍ଜସିଟ୍ ଦାଖଲ କରିଛି। ତତ୍କାଳୀନ କ୍ରାଇମ୍ ବ୍ରାଞ୍ଜ ଏଡିଜି ଅରୁଣ ବୋଥ୍ରା ତଦନ୍ତରେ ସଂପୃକ୍ତ ଥିଲେ। ଏପରିକି ତାଙ୍କ ସାକ୍ଷ୍ୟ ବହୁ ଗୁରୁତ୍ବବହନ କରୁଥିବା କୁହାଯାଉଛି। ଏହି ବିସ୍ଫୋରଣ ପରେ ମାସେ କାଳ ବଲାଙ୍ଗୀର ପୁଲିସ ମାମଲାର ତଦନ୍ତ ଚଳାଇଥିଲା। ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯାଇଥିଲା। ମାମଲାର ଖୋଳତାଡ଼ର ମାସେ ପରେ କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲକୁ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା।