ଆଧୁନିକ ସାଇବର୍ ଗୁପ୍ତଚର ‘ପେଗାସସ୍’

ସଂସଦର ମୌସୁମୀ ଅଧିବେଶନରେ ଆରମ୍ଭରୁ ପେଗାସସ୍ କୁ କେନ୍ଦ୍ର କରି ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି । ଜୁଲାଇ ୧୮ ତାରିଖ ସନ୍ଧ୍ୟାରେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମରେ ଫ୍ରାନ୍ସ ଗଣମାଧ୍ୟମ “ଫରବିଡେନ୍ ଷ୍ଟୋରି” ଏବଂ ମାନବାଧିକାର ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଦ୍ୱାରା ଜୁଲାଇ ୧୮ ରେ ପ୍ରକାଶିତ ଏକ ରିପୋର୍ଟରେ ପେଗାସସ୍ ସଂସ୍ଥା ଦ୍ୱାରା ନଜର ରଖାଯାଉଥିବା ଲୋକଙ୍କ ଫୋନ୍ ନମ୍ୱର୍ ସାର୍ବଜନୀନ କରାଯାଇଥିଲା । ସେହି ତାଲିକାରେ ୩୦୦ରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ମୋବାଇଲ ନମ୍ବର ଥିବାରୁ ବର୍ତ୍ତମାନ ସରକାରଙ୍କର ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପେଗାସସ୍ – ଇସ୍ରାଏଲ ସାଇବର ସୁରକ୍ଷା ସଂସ୍ଥା ଏନଏସଓ ଦ୍ୱାରା ବିକଶିତ ଏକ ଟେକ୍ନୋଲୋଜି ସ୍ପାଇୱେୟାର ଯାହା ସାଧାରଣତଃ ଏକ ଗୁପ୍ତଚର ସେବା, ଯାହା ଲୋକଙ୍କ ମୋବାଇଲରୁ ସେମାନଙ୍କ ସମ୍ବନ୍ଧୀୟ ତଥ୍ୟ ଏହି ପେଗାସସ୍ ବ୍ୟବହାର କରୁଥିବା ବା ଏହାକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ତଥା ସଂସ୍ଥାକୁ ଜଣାଇଥାଏ । ଫ୍ରାନ୍ସ ଗଣମାଧ୍ୟମ “ଫରବିଡେନ୍ ଷ୍ଟୋରି’ ଏବଂ ମାନବାଧିକାର ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଦ୍ୱାରା ଜୁଲାଇ ୧୮ରେ ପ୍ରକାଶିତ ଏକ ରିପୋର୍ଟରେ ଏହି ପେଗାସସ୍ ସଂସ୍ଥା ଦ୍ୱାରା ନଜର ରଖାଯାଉଥିବା ଲୋକଙ୍କ ଫୋନ୍ ନମ୍ୱର୍ ସାର୍ବଜନୀନ କରାଯାଇଥିଲା । ଏଥିରେ ଭାରତର ୪୦ ଜଣ ସାମ୍ବାଦିକ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, ଜଣେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି, ଅନେକ କାର୍ଯ୍ୟକର୍ତ୍ତା, କେତେକ ବୈଜ୍ଞାନିକଙ୍କ ସମେତ ୩୦୦ଟି ମୋବାଇଲ୍ ଟେଲିଫୋନ୍ ନମ୍ବର ରହିଛି । ତେବେ ପେଗାସସ୍ ଏବେର ନୁହେଁ ବରଂ ପାଞ୍ଚ ବର୍ଷ ତଳର ଅର୍ଥାତ୍ ୨୦୧୬ରୁ ଏହି ଗୁପ୍ତଚର ସେବା ଯୋଗାଇଆସୁଛି । ଏନଏସଓ ସଂସ୍ଥାର ସୂଚନା ଅନୁଯାୟୀ ଏହି ମୋବାଇଲ୍ ଗୁପ୍ତଚର ସଫ୍ଟୱେୟାର୍ ମୁଖ୍ୟତଃ ବିଭିନ୍ନ ଦେଶର ସରକାର ତଥା ଗୁଇନ୍ଦା ବିଭାଗ ଦ୍ୱାରା ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିଲା, ଯାହାକୁ ଲାଇସେନ୍ସ ଆକାରରେ କିଣାଯାଇ ବ୍ୟବହାର କରାଯାଇପାରିବ । ସାଇବର ସୁରକ୍ଷା କମ୍ପାନୀ ଲୁକଆଉଟ୍ ଦ୍ୱାରା ଏହାକୁ “ସବୁଠାରୁ ଅତ୍ୟାଧୁନିକ ଆକ୍ରମଣ’ ବୋଲି କୁହାଯାଏ, ଏ ପ୍ରକାର ଆକ୍ରମଣକୁ ଧରିବା ସବୁଠାରୁ କଷ୍ଟକର ।

ତେବେ ପ୍ରଥମେ ଆମକୁ ଜାଣିବାକୁ ପଡିବ ଏହି ପେଗାସସ୍ ଏବେ ଏପରି କଲା ନା ପୁର୍ବରୁ ମଧ୍ୟ ଏପରି କରିଥିଲା । ପେଗାସସ୍ ସ୍ପାଇୱେୟାର୍ ଅପରେସନ୍ ଉପରେ ପ୍ରଥମ ରିପୋର୍ଟ ୨୦୧୬ରେ ସାମ୍ନାକୁ ଆସିଥିଲା, ଯେତେବେଳେ ୟୁଏଇର ଜଣେ ମାନବାଧିକାର କାର୍ଯ୍ୟକର୍ତ୍ତା ଅହମ୍ମଦ ମନସୁରଙ୍କୁ ତାଙ୍କ ଆଇଫୋନ୍ ୬ ରେ ଏକ ଏସଏମଏସ ଲିଙ୍କ୍ ସହିତ ଟାର୍ଗେଟ୍ କରାଯାଇଥିଲା । ଏହି ବିଷୟ ଜଣାପଡିବା ପରେ ଆପଲ୍ ଏକ ଅପଡେଟ ମାଧ୍ୟମରେ ଏହାର ସଫ୍ଟୟାରର ସୁରକ୍ଷା ସଂରଚନାରେ ଥିବା ତ୍ରୁଟିକୁ ସୁଧାରିଥିଲା । ୨୦୧୮ ସେପ୍େଟମ୍ବରରେ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ସିଟିଜେନ୍ ଲ୍ୟାବ୍ ଗବେଷଣାରୁ ଜଣାପଡ଼ିଛି ଯେ ପେଗାସସ୍ ସ୍ପାଇୱେୟାରର ଗୁପ୍ତଚର କାର୍ଯ୍ୟ ସେହି ସମୟରେ ୪୫ଟି ଦେଶରେ ଚାଲୁଥିଲା । ଯେଉଁଥିରେ ଭାରତ ମଧ୍ୟ ରହିଥିଲା । ସେହିବର୍ଷ ଡିସେମ୍ବର ମଣ୍ଟ୍ରିଆଲସ୍ଥିତ ସାଉଦି କାର୍ଯ୍ୟକର୍ତ୍ତା ଓମାର ଅବଦୁଲଅଜିଜ୍ ଏକ ଅଦାଲତରେ ଏନଏସଓ ଗ୍ରୁପ୍ ବିରୋଧରେ ଏକ ମାମଲା ଦାୟର କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ପେଗାସସ୍ ବ୍ୟବହାର କରି ତାଙ୍କ ଫୋନକୁ ଗୁପ୍ତ ଭାବରେ ନଜର ରଖାଯାଇଛି ଏବଂ ତାଙ୍କ ବନ୍ଧୁ ସାମ୍ବାଦିକ ଜମାଲ ଖାସୋଗିଙ୍କ ସହ ତାଙ୍କ ବାର୍ତ୍ତାଳାପ କାରଣରୁ ତାଙ୍କ ବନ୍ଧୁଙ୍କୁ ହତ୍ୟା କରାଯାଇଛି । ୨୦୧୮ ଅକ୍ଟୋବର ୨ରେ ଇସ୍ତାନବୁଲରେ ସାଉଦି ଏଜେଣ୍ଟମାନେ ଖାସୋଗିଙ୍କୁ ହତ୍ୟା କରିଥିଲେ; ଅବଦୁଲଅଜିଜଙ୍କ ଅଭିଯୋଗ ଅନୁସାରେ ସେହି ବର୍ଷ ଅଗଷ୍ଟରେ ତାଙ୍କ ଫୋନ୍ ହ୍ୟାକ୍ ହୋଇଥିଲା । ମେ ୨୦୧୯ରେ ହ୍ୱାଟସଆପ୍ ଇସ୍ରାଏଲର ଏହି ସଂସ୍ଥା ବିରୋଧରେ ଏକ ମକଦ୍ଦମା ଦାୟର କରିଥିଲା । ଅଭିଯୋଗ କରିଥିଲା ଯେ ଏହାର ସ୍ପାଇୱେୟାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ହ୍ୱାଟସଆପ୍ ଉପଭୋକ୍ତାଙ୍କୁ ଟାର୍ଗେଟ କରିଥିଲା । ଏଥିରେ ଦେଶର ଅତି କମରେ ୨୦ରୁ ଅଧିକ ସାମ୍ବାଦିକ, ଓକିଲ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଇଥିଲା ।

ପେଗାସସ୍ କିପରି କାମ କରେ?

ଏହା ମୁଖ୍ୟତଃ ଦୁଇଟି ଉପାୟରେ କାମ କରେ । ପ୍ରଥମ ଉପାୟଟିର ବାହକ ହେଉଛି ଭ୍ରମାତ୍ମକ ଲିଙ୍କ୍ । ଏବେ ବଢୁଥିବା ସାଇବର କ୍ରାଇମ କାରଣରୁ ଫିସିଂ ବିଷୟରେ ପ୍ରାୟତଃ ଆପଣମାନେ ଜାଣିଥିବେ ଯେଉଁଥିରେ କୌଣସି ଏକ ଭ୍ରମାତ୍ମକ ଲିଙ୍କ୍ ଦେଇ ସେ ଲିଙ୍କରେ କ୍ଲିକ୍ କରିବାକ୍ଷଣି କ୍ଲିକ୍ କରିଥିବା ବ୍ୟକ୍ତିର ଡାଟା ବା ସୂଚନା ଚୋରି କରାଯାଏ । ଏପରି ଲିଙ୍କ୍ ମୁଖ୍ୟତଃ ଇମେଲ୍, ଏସଏମଏସ୍ କିମ୍ବା ହ୍ୱାଟସାପରେ ପ୍ରେରଣ କରାଯାଏ । ଯଦି ଲିଙ୍କ୍ ଖୋଲାଯାଏ, ତେବେ ଏହା ଆକ୍ରମଣକାରୀଙ୍କୁ ମୋବାଇଲ୍ ବା ଡିଭାଇସକୁ ଆକସେସ୍ କରିବା ନିମିତ୍ତ କ୍ଷମତା ପ୍ରଦାନ କରିଥାଏ । ୨୦୧୬ରେ ପ୍ରଥମେ ସାଉଦି ଆରବର ଯେଉଁ ଘଟଣା ଘଟିଥିଲା ତାହା ଏହି ପ୍ରଥମ ଉପାୟରେ ହୋଇଥିଲା ।

ଦ୍ୱିତୀୟ ଉପାୟଟିର ବାହକ ହେଉଛି ୱେବସାଇଟ ବା ଆପରେ ଆସୁଥିବା ବିଜ୍ଞପ୍ତି ବା ପୁଶ୍ ନୋଟିଫିକେସନ । ଏହା ପ୍ରଥମ ବାହକ ଅପେକ୍ଷା ଅଧିକ ମାରାତ୍ମକ କାରଣ ଏହା କୌଣସି ଲିଙ୍କ୍ କ୍ଲିକ୍ ଆବଶ୍ୟକ କରେ ନାହିଁ । ଏହା ସ୍ୱତଃସ୍ପୃତ ଭାବେ ସଂଲଗ୍ନ ଆପ୍ ସଂରଚନାରେ ଥିବା ତ୍ରୁଟି ମଧ୍ୟରେ ଲିଙ୍କଗୁଡ଼ିକ ଲୋଡ୍ କରନ୍ତି । ଯଦି ୨୦୧୯ ମସିହାର ଘଟଣାକୁ ଲକ୍ଷ୍ୟ କରିବା ତେବେ ପେଗାସସ୍ ଏହି ଦ୍ୱିତୀୟ ଉପାୟ ବ୍ୟବହାର କରିଥିବା ଜଣାପଡ଼େ । ଯେଉଁଥିରେ ହ୍ୱାଟସାପ୍ ସଂରଚନାରେ ଥିବା ତ୍ରୁଟିକୁ ବ୍ୟବହାର କରି ମିସଡ କଲ ମାଧ୍ୟମରେ ଅନେକ ଲୋକଙ୍କ ତଥ୍ୟ ଗୁପ୍ତ ଭାବରେ ନିଆଯାଇଥିଲା । ଥରେ ଏହାର ଶିକାର ହେବା ପରେ, ପ୍ରାୟ ଉପଭୋକ୍ତାଙ୍କ ସମସ୍ତ ତଥ୍ୟ ଏବଂ ଫୋନ୍ ବା ଡିଭାଇସ୍ ର ଆକ୍ସେସ ବା କ୍ଷମତା ତୁରନ୍ତ ପେଗାସସ୍ ପାଖରେ ପହଞ୍ଚିଥାଏ । ଏହା ଦ୍ୱାରା ମାଇକ୍ରୋଫୋନ୍ କିମ୍ୱା କ୍ୟାମେରା ବ୍ୟବହାର କରିପାରିବେ, ଲାଇଭ୍ ଜିପିଏସ୍ ଅବସ୍ଥାନ ଟ୍ରାକ୍ କରିପାରିବେ, କୀଷ୍ଟ୍ରୋକ୍ ଲଗିଂ (କୀଷ୍ଟ୍ରୋକ୍ ରେକର୍ଡିଂ) ବ୍ୟବହାର କରି ଟାଇପ୍ ହୋଇଥିବା ଯେକୌଣସି ଶବ୍ଦ ତଥା ଲେଖା ଜାଣିପାରିବେ ଏବଂ କୌଣସି କଲ୍, ବିଭିନ୍ନ ପାସୱାର୍ଡ୍ ତଥା ସ୍ଥଳ ବିଶେଷରେ ବାୟୋମେଟ୍ରିକ୍ ସୂଚନା ମଧ୍ୟ ରେକର୍ଡ କରିପାରିବେ । ଏବେ ସବୁଠୁ ସୁରକ୍ଷିତ କୁହାଯାଉଥିବା କ୍ଲାଉଡରେ ଥିବା ତଥ୍ୟକୁ ମଧ୍ୟ ପେଗାସସ ସହଜରେ ଚୋରି କରିପାରୁଛି ।

ସରକାରଙ୍କ ଭୂମିକା

ଏବେ ଏତେସବୁ ଘଟଣା ଘଟିବା ପରେ ସରକାରଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୧୯ରେ ମଧ୍ୟ ଅନୁରୂପ ଭାବେ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠିଥିଲା । ସେତେବେଳେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ନଭେମ୍ବର ୨୦୧୯ରେ ସଂସଦକୁ ଏକ ଲିଖିତ ପ୍ରତିକ୍ରିୟାରେ କହିଥିଲେ ଯେ: “ସୂଚନା ପ୍ରଯୁକ୍ତି ଅଧିନିୟମ-୨୦୦୦ର ଧାରା ୬୯ ଦ୍ୱାରା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କୁ ଭାରତର ସାର୍ବଭୌମତ୍ୱ କିମ୍ବା ଅଖଣ୍ଡତା, ରାଜ୍ୟର ସୁରକ୍ଷା, ବୈଦେଶିକ ରାଷ୍ଟ୍ର କିମ୍ବା ସାର୍ବଜନୀନ ଆଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ କିମ୍ବା କୌଣସି ଅପରାଧର ଅନୁସନ୍ଧାନ ସମ୍ବନ୍ଧୀୟ ଘଟଣାକୁ ରୋକିବା ପାଇଁ ଲୋକଙ୍କର ତଥ୍ୟ ଅବରୋଧ, ମନିଟରିଂ କିମ୍ବା ଡିକ୍ରିପ୍ଟ କରିବାର କ୍ଷମତା ଦେଇଥାଏ । ସେ ଆହୁରି କହିଥିଲେ ଯେ ଯୋଗାଯୋଗକୁ ରୋକିବା ପାଇଁ କେନ୍ଦ୍ର ସରକାର ୧୦ଟି ଏଜେନ୍ସିକୁ କ୍ଷମତା ପ୍ରଦାନ କରିଛନ୍ତି । ଏଗୁଡ଼ିକ ହେଉଛି ଗୁଇନ୍ଦା ବିଭାଗ, ନିଶା ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ, ଜାତୀୟ ଅନୁସନ୍ଧାନ ଏଜେନ୍ସି, କ୍ୟାବିନେଟ ସଚିବାଳୟ (ର), ସିଗନାଲ୍ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (କେବଳ ଜମ୍ମୁ କଶ୍ମୀର, ଉତ୍ତର ପୂର୍ବ ଏବଂ ଆସାମର ସେବା କ୍ଷେତ୍ର ପାଇଁ) ଏବଂ ଦିଲ୍ଲୀର ପୋଲିସ କମିଶନର । ଏହା ବ୍ୟତୀତ ସେହି ରିପୋର୍ଟଗୁଡିକର କୌଣସି ତଥ୍ୟଭିତ୍ତିକ ଆଧାର ନଥିବା ଦର୍ଶାଇ ସରକାରଙ୍କ ତରଫରୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏଥର ମଧ୍ୟ ସଂସଦରେ ଉଠିଥିବା ବିବାଦକୁ ନେଇ ଆଇଟି ମନ୍ତ୍ରୀ ଲୋକସଭାରେ ପେଗାସସ୍ ସ୍ପାଇୱେୟାର ବ୍ୟବହାର କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି ଯେ ଏହି ରିପୋର୍ଟ ଭାରତୀୟ ଗଣତନ୍ତ୍ରକୁ ବଦନାମ କରିବାର ଏକ ପ୍ରୟାସ । ବିରୋଧୀଙ୍କଠାରୁ ବହିଷ୍କାର ଦାବି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ରିପୋର୍ଟ ବାଧା ସୃଷ୍ଟିକାରୀଙ୍କ ଦ୍ୱାରା ଭାରତର ବିକାଶ ରୋକିବାକୁ ଏକ ପ୍ରୟାସ ଅଟେ । ଏନଏସଓ ଗ୍ରୁପ୍ ଏହାର ସ୍ପାଇୱେୟାର ପେଗାସସର ଉପସ୍ଥିତିକୁ ଅସ୍ୱୀକାର କରିନାହିଁ, ରିପୋର୍ଟର ଉତ୍ତର ଦେଇ କହିଛି ଯେ ସେମାନେ ଏହାର ଗୁପ୍ତଚର ଉପକରଣ ବ୍ୟବହାର କରିବାକୁ ଅନୁମତି ଦେବା ପୂର୍ବରୁ ଏହାର ଗ୍ରାହକଙ୍କ ମାନବାଧିକାର ରେକର୍ଡକୁ କଠୋର ଭାବରେ ଯାଞ୍ଚ କରିଛନ୍ତି ଏବଂ ଏହାର ଗ୍ରାହକଙ୍କ କାର୍ଯ୍ୟକଳାପ ବିଷୟରେ ମିଥ୍ୟା ଦାବିକୁ ଅସ୍ୱୀକାର କରିଛନ୍ତି, କିନ୍ତୁ ଏହା ଅପବ୍ୟବହାରର ସମସ୍ତ ଦାବିର ଅନୁସନ୍ଧାନ ଜାରି ରଖିବ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ବ୍ୟବସାୟିକ ସଂପର୍କ କାରଣରୁ ଭାରତ ସରକାର ଜଣେ ଗ୍ରାହକ କି ନାହିଁ ଏନଏସଓ ସେ ଉପରେ କିଛି କହିନାହିଁ । ତଥାପି, କିଛି ଫୋନର ଫୋରେନସିକ୍ ପରୀକ୍ଷଣ ପେଗାସସ୍ ସ୍ପାଇୱେୟାର୍ ବ୍ୟବହାରକୁ ନିଶ୍ଚିତ କରିଛି ।

ଯଦି ସୂଚନା ପ୍ରଯୁକ୍ତି ଅଧିନିୟମ ଅନୁସାରେ ଭାରତ ସରକାର ଏହା କରୁଥାନ୍ତି ତେବେ ଏହା ଠିକ୍ । ସରକାରଙ୍କ ପାଖରେ ଅଧିକାର ଅଛି ତେଣୁ ସେ ଏପରି କରିପାରିବେ କିନ୍ତୁ ଏହି ଅଧିକାରର ଯେପରି ଅପବ୍ୟବହାର ନ ହୁଏ, ତାହା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଏବେ ଚିନ୍ତାର ବିଷୟ ଯଦି ସରକାର ଓ ଏନଏସଓ ଉଭୟ ଭାରତ ସରକାରଙ୍କ ସଂପୃକ୍ତି ବିଷୟରେ ଅସ୍ୱୀକାର କରୁଛନ୍ତି ତେବେ ଭାରତର ଏତେ ସଂଖ୍ୟକ ଲୋକଙ୍କ ଉପରେ କିଏ ନଜର ରଖୁଛି, ତା ବିଷୟରେ ଚିନ୍ତା କରାଗଲାଣି କି? ଦେଶର ସାମ୍ବିଧାନିକ ପଦରେ ଥିବା ମନ୍ତ୍ରୀ ତଥା କିଛି ପ୍ରଶାସନିକ ଅଧିକାରୀଙ୍କ ଉପରେ ଗୁପ୍ତଚର ଲଗାଇବା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁନାହିଁ କି? ଯଦି ସରକାରଙ୍କ ନିଜସ୍ୱ ଗୁପ୍ତଚରତା କିମ୍ୱା ବିଦେଶୀ ଗୁପ୍ତଚରତା ଏ ଉଭୟ କଥା ମିଥ୍ୟା, ତେବେ ଆମ ଦେଶ ବିରୋଧରେ ବାରମ୍ବାର ଏପରି ମିଥ୍ୟା ଅଭିଯୋଗ ଆଣୁଥିବା ସଂସ୍ଥାଗୁଡିକ ପ୍ରତି ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି?

ସମ୍ପ୍ରତି ଇଣ୍ଟରନେଟର ବହୁଳ ବ୍ୟବହାର ଫଳରେ ଡିଜିଟାଲ ମାଧ୍ୟମରେ ସୁରକ୍ଷା ଏକ ବଡ଼ ସମସ୍ୟା ବା ପ୍ରାୟତଃ ନାହିଁ କହିଲେ ଚଳେ । ସେଦୃଷ୍ଟିରୁ ଦେଶ ବିରୋଧରେ ଅପପ୍ରଚାର କୌଣସି ଛୋଟ ଘଟଣା ନୁହେଁ । ସରକାରଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଏସବୁ ପ୍ରସଙ୍ଗରୁ ଦୂରେଇ ଯାଉନାହାନ୍ତି । ଲୋକଙ୍କୁ ସତ କଣ ଜଣାଇବା ପ୍ରତ୍ୟକ ସୁସ୍ଥ ସରକାରର ସାମ୍ବିଧାନିକ ଦାୟିତ୍ୱ ।


ଏପି ଶୁଭକାନ୍ତ ସାମଲ
ହରିପୁର, ଖଡିଅଙ୍ଗ, ଯାଜପୁର

Get real time updates directly on you device, subscribe now.

Comments
Loading...