fbpx

ଆପଣଙ୍କ ଫୋନରେ ପଶିଛି କି PEGASUS; ଏମିତି କଲେ ତଥ୍ୟ ରହିବ ସୁରକ୍ଷିତ

ନୂଆଦିଲ୍ଲୀ: ବିଗତ ଦୁଇ ଦିନ ଧରି ଦେଶରେ ଭୂକମ୍ପ ମଚାଇଛି ପେଗାସସ ସ୍ପାଇୱେୟାର । ଏହି ଆପର ବ୍ୟବହାର ଦ୍ୱାରା ଦେଶର ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍ ଟ୍ୟାପ କରାଯାଇଥିବା ନେଇ ଖବର ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଥିବା ବେଳେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧି ଦଳ । ଇସ୍ରାଏଲୀ କମ୍ପାନୀ ଏନଏସଓ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆପ୍ ଫୋନରେ ରହିଥିବା ସମସ୍ତ ତଥ୍ୟ ଉପରେ କବଜା କରିଥାଏ । ତେବେ ଏହି ଆପଟି କିଭଳି କାର୍ଯ୍ୟ କରିଥାଏ ଏବଂ ଏହା ଦ୍ୱାରା ଆପଣଙ୍କ ଫୋନ ସଂକ୍ରମିତ ହୋଇଛି କି ନାହିଁ କେମିତି ଜାଣିବେ ତା ଉପରେ ଏକ ଆଲେଖ୍ୟ ।

ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସକୁ ଏକ ସାଇବର ଅସ୍ତ୍ର ଭାବରେ ବିବେଚନା କରାଯାଇଥାଏ । ୨୦୧୬ରେ ଏହା ସମ୍ପର୍କରେ ପ୍ରଥମ ଥର ଶୁଣିବାକୁ ମିଳିଥିଲା । ସମଗ୍ର ବିଶ୍ୱରେ ସାମ୍ବାଦିକ, ସାମାଜିକ କର୍ମୀ, ବ୍ୟବସାୟୀ, ରାଜନେତା ଓ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫୋନକୁ ଟ୍ୟାପ କରିବା ପାଇଁ ଏହି ଭାଇରସ ବ୍ୟବହୃତ ହେଉଥିବା ନେଇ ଖବର ପ୍ରକାଶ ପାଇଥିଲା । ଏହି ଆପ୍ ସମ୍ପର୍କରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ରିସର୍ଚ୍ଚ କରାଯାଇଥିଲା । ଭାରତ ସମେତ ୧୦ଟି ରାଷ୍ଟ୍ରରେ କରାଯାଇଥିବା ରିସର୍ଚ୍ଚରୁ ଚକିତ କରିବା ପରି ତଥ୍ୟ ସାମ୍ନାକୁ ଆସିଥିଲା । ତେବେ ଏହାର ଆପ୍ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନାହିଁ କେବଳୂ ବିଭିନ୍ନ ରାଷ୍ଟ୍ରର ସରକାରଙ୍କୁ ଏହି ବୈଷୟିକ କୌଶଳ ବିକ୍ରି ହୋଇଥିବା ନେଇ ପେଗାସସ ପକ୍ଷରୁ କୁହାଯାଇଛି । ଅପରାଧ ଏବଂ ଆତଙ୍କବାଦକୁ ରୋକିବା ପାଇଁ ଏହି ବ୍ୟବସ୍ଥା ତିଆରି କରାଯାଇଥିବା ପେଗାସସ ପକ୍ଷରୁ କୁହାଯାଇଛି ।

ଆଇଫୋନ୍ ନୁହେଁ ସୁରକ୍ଷିତ: ଆପଲ ପକ୍ଷରୁ ଆସୁଥିବା ଆଇଫୋନର ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଶକ୍ତିଶାଳୀ ବୋଲି କୁହାଯାଏ । ଏପରିକି ବିଶ୍ୱର ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏହି ଫୋନ ବ୍ୟବହାର କରିଥାନ୍ତି । ତେବେ ନିକଟରେ ମିଳିଥିବା ସୂଚନା ଅନୁଯାୟୀ ଏହି ପେଗାସସ ଗୁପ୍ତଚର ଆଇଓଏସକୁ ହ୍ୟାକ କରିବାରେ ମଧ୍ୟ ସମର୍ଥ । ଏହା ସହିତ ଏହି ସ୍ପାଇ ୱୟାର ନିଜର କୌଣସି ଚିହ୍ନ ଛାଡିନଥାଏ ଯେଉଁଥିପାଇଁ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ । ତେବେ ଫରେନସିକ୍ ଲାବରେ ପରୀକ୍ଷଣ ପରେ ଏହି ସ୍ପାଇ ୱେୟାରର କିଛି ଟ୍ରେସ ମିଳିଥିଲା । ସଫାରୀ ବ୍ରାଉଜରରେ ସର୍ଚ୍ଚ କରିବା ସମୟରେ ବେଳେ ବେଳେ ପେଜ୍ ରି ଡିରେକ୍ଟ ମଧ୍ୟ ହୋଇଥାଏ ।
କେମିତି କରିଥାଏ ହ୍ୟାକ୍: ଏହି ସ୍ପାଏ ୱେୟାର ବିଭିନ୍ନ ଉପାୟରେ ଫୋନକୁ ସଂକ୍ରମିତ କରିଥାଏ । ଫୋନ କଲ୍, ମେସେଜ, ଇମେଲ, ହ୍ୱାଟ୍ସଆପ୍ ମେସେଜ୍ ଅଥବା ହ୍ୱାଟ୍ସଆପ୍ କଲରେ ମଧ୍ୟ ଫୋନକୁ ହ୍ୟାକ କରିବାରେ ଏହା ସଫଳ ହୋଇଥାଏ । ଲିଙ୍କ ଉପରେ କ୍ଲିକ୍ କରିବା ମାତ୍ରେ ଫୋନଟି ସମ୍ପୂର୍ଣ୍ଣ ଭାବରେ ହ୍ୟାକରଙ୍କ ଅଧୀନକୁ ଆସିଯାଇଥାଏ । ୨୦୧୯ରେ ପେଗାସସ ହ୍ୱାଟ୍ସଆପ କଲ୍ ଦ୍ୱାରା ୧୪୦୦ ଫୋନ ହ୍ୟାକ କରିଥିବା ନେଇ ହ୍ୱାଟ୍ସଆପ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସମାନ ଉପାୟରେ ଆପଲର ଆଇ ମେସେଜ ମଧ୍ୟ ହ୍ୟାକ ହେଉଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ଏହି ସ୍ପାଏ ୱେୟାର ଏତେ ଶକ୍ତିଶାଳୀକି ଫୋନରେ ଏହାର ଉପସ୍ଥିତି ସମ୍ପର୍କରେ ଜଣାପଡିନଥାଏ ।

କେମିତି ଜାଣିବେ: ଏହି ସ୍ପାଏ ୱେୟାର ଗୁପ୍ତଚର ବୃତ୍ତି ପାଇଁ ନିର୍ମାଣ କରାଯାଇଥିବାରୁ ଫୋନରେ ଏହାର ଉପସ୍ଥିତି ଜାଣିବା ଆଦୌ ପିଲାଖେଳ ନୁହେଁ । ଯଦି ଆପଣଙ୍କ ଫୋନ୍ ଏହା ଦ୍ୱାରା ସଂକ୍ରମିତ ତେବେ ଇଣ୍ଟରନେଟରେ କୌଣସି ପେଜ ଖୋଲିଲେ ବାରମ୍ବାର ରି ଡିରେକ୍ଟ ହୋଇଥାଏ । ଏପରି ଲକ୍ଷଣ ରହିଥିଲେ ଆପଣଙ୍କ ଫୋନ ପେଗାସସ ଆକ୍ରମଣର ଶିକାର ହୋଇଥିବାର ସମ୍ଭାବନା ଅଧିକ ରହିଥାଏ ।

କେମିତି ପାଇବେ ମୁକ୍ତି: ପେଗାସସ ସ୍ପାଇ ୱେୟାରରୁ ମୁକ୍ତି ପାଇବା ଅତ୍ୟନ୍ତ କଷ୍ଟସାଧ୍ୟ । ତେବେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ଏ ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଛି । ଫୋନକୁ ହାର୍ଡ ରିସେଟ୍ କଲେ ମଧ୍ୟ ଏହି ଭାଇରସର ଉପସ୍ଥିତି ରହୁଛି । ଏଥିପାଇଁ ଆମ୍ନେଷ୍ଟି ପକ୍ଷରୁ ମୋବାଇଲ ଭେରିଫିକେସନ ଟୁଲକିଟ୍ ଲଞ୍ଚ କରାଯାଇଛି ଯାହାଦ୍ୱାରା ଆପଣ ନିଜ ଫୋନ ସୁରକ୍ଷିତ ରଖି ପାରିବେ । ଏହି ଆପ୍ ଦ୍ୱାରା ସଂକ୍ରମିତ ହୋଇଥିଲେ ଆପଣ ଆପଣଙ୍କ ଫୋନ ପରିବର୍ତ୍ତନ କରେଇ ନିଅନ୍ତୁ । ଫୋନ ପରିବର୍ତ୍ତନ କରିବା ସହିତ ଫୋନରେ ବ୍ୟବହୃତ ହେଉଥିବା ସମସ୍ତ ଆପର ପାସୱାର୍ଡ ପରିବର୍ତ୍ତନ କରିବାକୁ ଭୁଲନ୍ତୁ ନାହିଁ ।

Get real time updates directly on you device, subscribe now.