Pension-Gratuity ବନ୍ଦ! କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଦଳିଲା ନିୟମ, ସଂଶୋଧନ ହେଲା CCS Rule

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ନିୟମ ପରିବର୍ତ୍ତନ କରାଯାଇଛି । ନିକଟରେ କେନ୍ଦ୍ର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଓ ଦିପାବଳୀ ବୋନସ ମିଳିଥିବା ବେଳେ ଏବେ ଲାଗିଛି ଝଟକା । କର୍ମଚାରୀଙ୍କର ଏକ ସାମାନ୍ୟ ଭୁଲ କାରଣରୁ ରିଟାୟାରମେଣ୍ଟ ପରେ ସେମାନଙ୍କର ପେନସନ ଓ ଗ୍ରାଚ୍ୟୁଇଟି ବନ୍ଦ ହୋଇପାରେ । ଯଦି କୌଣସି କର୍ମଚାରୀ ନିଜ କାର୍ଯ୍ୟ ଠିକ୍ ଭାବେ ସମ୍ପାଦନ ନକରେ, ତେବେ ଏହି ନିୟମ ଲାଗୁ ହେବ । ଏବେ ଏହା କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ ଆଗକୁ ରାଜ୍ୟମାନେ ଏହାକୁ ଲାଗୁ କରିପାରନ୍ତି ।

କେନ୍ଦ୍ର ସରକାର ସେଣ୍ଟ୍ରାଲ ସିଭିଲ ସର୍ଭିସେସ (ପେନସନ) ରୁଲ ୨୦୨୧ ଉପରେ ଏକ ନୋଟିଫିକେସନ ଜାରି କରିଛନ୍ତି । ନିକଟରେ ସିସିଏସ (ପେନସନ) ନିୟମ ୨୦୨୧ର ରୁଲ ୮ରେ ପରିବର୍ତ୍ତନ କରାଯାଇଥିଲା । ଯେଉଁଥିରେ କିଛି ନୂଆ ପ୍ରାବଧାନ ଯୋଡ଼ା ଯାଇଥିଲା । କେନ୍ଦ୍ରୀୟ କର୍ମଚାରୀମାନେ ନିଜର ସେବା କାଳରେ କୌଣସି ଗମ୍ଭୀର ଅପରାଧ ବା ଦାୟିତ୍ୱହୀନତା କାରଣରୁ ଦୋଷୀ ସାବ୍ୟସ୍ତ ହେଲେ ଅବସର ପରେ ସେମାନଙ୍କୁ ଗ୍ରାଚ୍ୟୁଇଟି ଓ ପେନସନ ମିଳିବ ନାହିଁ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ତରଫରୁ ପରିବର୍ତ୍ତିତ ଏହି ନିୟମ ବିଷୟରେ ସମସ୍ତ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି । ଦୋଷୀ କର୍ମଚାରୀଙ୍କ ପେନସନ ଓ ଗ୍ରାଚ୍ୟୁଇଟି ରୋକିବା ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ନୋଟିସରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ତେବେ ଏହି ନୂଆ ନିୟମ ଲାଗୁ ହେବା ପରେ ଏବେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି ।