fbpx

PFRDAର ବଡ଼ ନିଷ୍ପତ୍ତି: ପେନସନ ଅର୍ଥ ଉଠାଣ ନିୟମ ବଦଳିଲା, ପେନସନଧାରୀଙ୍କ ପାଇଁ ଜାଣିବା ଜରୁରୀ

ନୂଆଦିଲ୍ଲୀ: ଯଦି ଆପଣମାନେ ଆକାଉଣ୍ଟରୁ ପେନସନ୍ ଅର୍ଥ ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଆସିଛି ଏକ ବଡ଼ ଅପଡେଟ୍ । ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ଅଧିନରେ ଅର୍ଥ ଉଠାଣର ନିୟମରେ ପରିବର୍ତ୍ତନ କରାଯାଇଛି । ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅର୍ଥରିଟି (ପିଏଫଆରଡିଏ) ପକ୍ଷରୁ ଏ ବାବଦରେ ସୂଚନା ଜାରି କରାଯାଇଛି ।

ଏନପିଏସ ଅଧିନରେ ଅର୍ଥ ଉଠାଣ ପାଇଁ ପେନସନଧାରୀଙ୍କ ପାଇଁ ‘ପେନୀ ଡ୍ରପ’ ଭେରିଫିକେସନ ଜରୁରୀ କରି ଦିଆଯାଇଛି । ଏହାଫଳରେ ପେନସନଧାରୀଙ୍କ ଅର୍ଥ ଠିକ୍ ସମୟରେ ଟ୍ରାନ୍ସଫର ହେବ । ‘ପେନୀ ଡ୍ରପ’ ପ୍ରକ୍ରିୟା ଅଧିନରେ ରେକର୍ଡ ରଖୁଥିବା କେନ୍ଦ୍ରୀୟ ଏଜେନ୍ସି (ସିଆରଏ) ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟର ବାସ୍ତବ ଓ ସକ୍ରିୟ ସ୍ଥିତି ଉପରେ ନଜର ରଖିଥାଏ । ଏଥିସହିତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ପ୍ୟାନ ବା ଦାଖଲ କରାଯାଇଥିବା ଡକ୍ୟୁମେଣ୍ଟରେ ଦିଆଯାଇଥିବା ନାମକୁ ମଧ୍ୟ ଯାଞ୍ଚ କରିଥାଏ ।

ସମସ୍ତ ପେନସନ ଅର୍ଥ ଉଠାଣ ପାଇଁ ଏହି ନିୟମ ଲାଗୁ ହେବ । ଏହି ନିୟମ ଏନପିଏସ, ଅଟଳ ପେନସନ ଯୋଜନା (ଏପିୱାଇ) ଓ ଏନପିଏସ ଲାଇଟ ସହିତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀରେ ପରିବର୍ତ୍ତନ ପାଇଁ ମଧ୍ୟ ଲାଗୁ ହେବ । ନାମ ଯାଞ୍ଚ କରିବା, ଉଠାଣ ଆବେଦନକୁ ସଂଶୋଧନ କରିବା ଓ ଗ୍ରାହକଙ୍କ ବ୍ୟାଙ୍କ ଖାତାର ବିବରଣୀ ସଂଶୋଧନ କରିବା ପାଇଁ ‘ପେନୀ ଡ୍ରପ’ ସଫଳ ହେବା ଆବଶ୍ୟକ ବୋଲି ପିଏଫଆରଡିଏ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.