fbpx

ଲୋକଙ୍କୁ କଲବଲ କରୁଛି ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର: ନିରବଦଷ୍ଟା ସାଜିଛି ବିଏମସି

Advertisement

ଭୁବନେଶ୍ଵର: ରାଜଧାନୀ ଉପକଣ୍ଠ ଭରତପୁର ନିକଟସ୍ଥ ଜି.ଏ କଲୋନିରେ ବିଏମ୍‌ସି ଖୋଲିଥିବା ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର ଏବେ ସ୍ଥାନୀୟ ଲୋକଙ୍କ ପାଇଁ କାଳ ସାଜିଛି । ଏହି ସେଣ୍ଟର ବା ପ୍ଲାଣ୍ଟରୁ ବାହାରୁଥିବା ଦୁର୍ଗନ୍ଧ ଲୋକଙ୍କୁ କଲବଲ କରୁଛି । ଫଳରେ ଲୋକମାନେ ଦିନ ରାତି ଝରକା କବାଟ କିଳି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ସ୍ୱରେଜ ବ୍ୟବସ୍ଥା ନଥିବା କାରଣରୁ ଲୋକଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଇଛି । ମଶା ମାଛିଙ୍କ ଉପଦ୍ରବ ସାଙ୍ଗକୁ ରାସ୍ତା ଘାଟରେ ଗଦା ହୋଇ ରହୁଥିବା ଅଳିଆ ଆବର୍ଜନା ଏଠାକାର ପରିବେଶକୁ ଆହୁରି ସଙ୍ଗିନ କରି ପକାଇଛି । ଏଭଳି ଦୁଃଖରେ ଅତିଷ୍ଠ ହୋଇ ଶେଷରେ ଏଠାକାର ବରିଷ୍ଠ ନାଗରିକମାନେ ଏବେ ମୁହଁ ଖୋଲିଛନ୍ତି ।

ସରକାରୀ ଅଧିକାରୀଙ୍କୁ ଦୁଃଖ ଜଣାଇ ମଧ୍ୟ କିଛି ସୁଫଳ ନମିଳିବାରୁ ବରିଷ୍ଠ ନାଗରିକମାନେ ବିଧାନସଭା ସମ୍ମୁଖରେ ଆମରଣ ଅନଶନରେ ବସିବା ପାଇଁ ସ୍ଥିର କରିଛନ୍ତି । ଜି.ଏ କଲୋନି ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନି ଡାକି ଏହି ସୂଚନା ଦେଇଛନ୍ତି । ମଞ୍ଚର ମୁଖ୍ୟ ଡାକ୍ତର ପ୍ରଦ୍ୟୁତ୍ ରଞ୍ଜନ ଭୂୟାଁ ଏବଂ ଅନ୍ୟ କର୍ମକର୍ତ୍ତା ରବିନ୍ଦ୍ର କୁମାର ଶର, କାଶୀନାଥ ପ୍ରଧାନ ଓ କବିପ୍ରସାଦମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କହିଛନ୍ତି ଯେ, ଏହି ଜି.ଏ କଲୋନୀ ୨୨ନମ୍ବର ୱାର୍ଡରେ ଯାଉଛି ।

ଯେତେବେଳେ ସରକାରଙ୍କ ପକ୍ଷରୁ ଏଠାରେ କମ୍ପୋଷ୍ଟି ପ୍ଲାଣ୍ଟ କରାଗଲା ସେତେବେଳେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରାଯାଇ ନଥିଲା । କରୋନା କାରଣରୁ ସ୍ଥାନୀୟ ଲୋକମାନେ ମଧ୍ୟ ଏକାଠି ହୋଇ ପାରି ନଥିଲେ କିମ୍ବା ଏହି ପ୍ରକଳ୍ପ ବିଷୟରେ କିଛି ଜାଣି ପାରି ନଥିଲେ । କରୋନାର ପ୍ରକୋପ ଯେତିକି କମି ଆସିଲା ସେହି ଅନୁସାରେ ଏହି ପ୍ଲାଣ୍ଟର କାର୍ଯ୍ୟକଳାପ ସେତିକି ବଢ଼ିଲା । ଏପରିକି ଆଖପାଖ ଚାରୋଟି ୱାର୍ଡରୁ ବାହାରୁଥୁବା ଅଳିଆ, ଆବର୍ଜନାକୁ ଏଠାକୁ ଅଣାଯାଇ ଗଦା କରାଯିବାରୁ ଏଥୁରୁ ଅଧିକରୁ ଅଧିକ ଦୁର୍ଗନ୍ଧ ବାହାରିଲା । ଏହି ଦୁର୍ଗନ୍ଧର ମାତ୍ରା ଏଭଳି ବଢ଼ିଲା ଯେ, ସ୍ଥାନୀୟ ଲୋକମାନଙ୍କର ଖାଇବା, ରହିବା, ଶୋଇବା ମଧ୍ୟ ମୁସ୍କିଲ ହୋଇ ପଡିଲା । ଜନବସତିଠାରୁ ଅନତି ଦୂରରେ ଏହି ପ୍ଲାଣ୍ଟ କରାଯାଇଥିଲେ କୌଣସି କ୍ଷତି ହୋଇନଥାନ୍ତା କିମ୍ବା ଏହି ପ୍ଲାଣ୍ଟ ପାଇଁ ଭରତପୁର ଅଞ୍ଚଳରେ ସରକାରୀ ଜାଗାର ଅଭାବ ନାହିଁ ।

ଏହା ସତ୍ତ୍ବେ ଏଠାରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରାଗଲା । ସ୍ଥାନୀୟ ଲୋକମାନେ ଏ ସଂପର୍କରେ ପ୍ରଶାସନକୁ ଲିଖତ ଭାବେ ବାରମ୍ବାର ଜଣାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ । ଦିନରାତି ସବୁବେଳେ ମଶା, ମାଛିଙ୍କ ଉତ୍ପାତ ସାଙ୍ଗକୁ ଦୁର୍ଗନ୍ଧ ଲାଗି ରହିଥିବାରୁ ବରିଷ୍ଠ ନାଗରିକମାନେ ଅତିଷ୍ଠ ହୋଇ ପଡିଛନ୍ତି। ଖୋଲା ପବନ ପରିଣତ ବୟସରେ ଲୋକଙ୍କ ପାଇଁ ମେଡ଼ିସିନ୍ ସଦୃଶ ହୋଇଥିଲେ ମଧ୍ୟ ଏଠାରେ ବରିଷ୍ଠ ନାଗରିକମାନେ କବାଟ କିଳି ଘରେ ପଶୁଛନ୍ତି । ରାତି ଅଧରେ ବଡବଡ ଟ୍ରକ୍‌ରେ ଅଳିଆ ଆବର୍ଜନା ବୁହା ଯାଉଥିବାରୁ ଗାଡିରୁ ମଧ୍ଯ ଟୁକୁଡା ଅଂଶ ରାସ୍ତା ଉପରେ ପଡି ରହୁଛି । ସ୍ୱରେଜ ବ୍ୟବସ୍ଥା ନଥିବାରୁ ଏଠାରେ ସାମାନ୍ୟ ବର୍ଷା ହେଲେ ନର୍ଦ୍ଦମା ପାଣିର ସୁଅ ଝୁଟୁଛି।

ତେଣୁ ଆସନ୍ତା ମାସକ ମଧ୍ୟରେ ଯଦି ସରକାର ଏହାର କୌଣସି ପ୍ରତିକାର ନକରନ୍ତି କିମ୍ବା ଏହି ଅଞ୍ଚଳରୁ ମାଇକ୍ରୋ କମ୍ପୋଟିଂ ସେଣ୍ଟର ଅନ୍ୟତ୍ର ନହଟାନ୍ତି, ତେବେ ବରିଷ୍ଠ ନାଗରିକମାନେ ବାଧ୍ୟ ହୋଇ ଆମରଣ ଅନଶନରେ ବସିବେ ବୋଲି ମଞ୍ଚ ସଦସ୍ୟମାନେ ଚେତାବନି ଶୁଣାଇଛନ୍ତି ।

Get real time updates directly on you device, subscribe now.