(Video) କାହାର ସର୍ବନାଶ, କାହାର ପୁଷମାସ! ମିନିଟ୍ରକ ଓଲଟିଲା, ସାହାଯ୍ୟ କରିବା ବଦଳରେ ବୋତଲ ବୋତଲ ମଦ ବୋହିନେଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଭଲ ସମୟ ଥିବା ସମୟରେ ଯିଏ ଯେତେ ଭାଷଣ ଦେଲେ ବି ତା’ର କିଛି ମୂଲ୍ୟ ନଥାଏ । ବିପଦ, ଦୁଃଖ ସମୟରେ ସାମାନ୍ୟ ସାହାଯ୍ୟର ହାତ ବଢ଼ାଉଥିବା ଲୋକ ହିଁ ପ୍ରକୃତରେ ପ୍ରଶଂସାର ପାତ୍ର । ତେବେ ଅନେକ ସମୟରେ ଦୁର୍ଘଟଣା ଘଟିବା ପରେ ଲୋକମାନେ ପୀଡ଼ିତଙ୍କୁ ଉଦ୍ଧାର କରିବେ କ’ଣ ଗାଡ଼ିରେ ଲୋଡ଼ ହୋଇ ଆସିଥିବା କିଛି ଜିନିଷକୁ ଧରି ଘରକୁ ଦୌଡ଼ିଥାନ୍ତି । ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଥିବା ବେଳେ ଏବେ ପୁଣି ତା’ର ପୁନରାବୃତ୍ତି ଘଟିଛି ।

ସୂଚନା ମୁତାବକ, ଯାଜପୁର ଜିଲ୍ଲା ବଡ଼ଚଣାଠାରେ ଏକ ମିନିଟ୍ରକ ଓଲଟି ପଡ଼ିଥିଲା । ତେବେ ଲୋକମାନେ ଡ୍ରାଇଭରକୁ ଉଦ୍ଧାର କରିବେ କ’ଣ, ଏଭଳି ଦୁଃଖଦ ପରିସ୍ଥିତି ସମୟରେ ନିଜ ନିଜର ଫାଇଦା ଦେଖିଥିଲେ । ଟ୍ରକ ଓଲଟିବା ପରେ ସେଥିରେ ଲୋଡ ହୋଇଥିବା ମଦ ପେଟି ରାସ୍ତାରେ ଛିଟିକି ପଡ଼ିଥିଲା । ଏହାର ସୁଯୋଗ ନେଇ ଲୋକମାନେ ରାସ୍ତାରୁ ମଦ ପେଟି ବୋହିବାରେ ଲାଗିଥିଲେ । ତେଣୁ ‘କାହାର ସର୍ବନାଶ, ତ କାହାର ପୁଷମାଷ’ କଥାଟି ଏଠାରେ ପ୍ରମାଣିତ ହୋଇଛି ।

ଦୁର୍ଘଟଣା ପରେ ଗୋଟିଏ ପଟେ ଡ୍ରାଇଭର ଅସହ୍ୟ ଯନ୍ତ୍ରଣା ଆଉ ଦୁଃଖରେ କାନ୍ଦୁଥିବା ବେଳେ ତାକୁ ସାହାଯ୍ୟ କରିବାକୁ କେହି ଆଗେଇ ଆସିନଥିଳେ । ତା’ ବଦଳରେ ଲୋକମାନେ ମଦ ବୋତଲ ଧରି ଛୁ ମାରିଥିଲେ । ସଭ୍ୟ ସମାଜର ଏହି ହୀନ ମାନସିକତାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଜଣଙ୍କୁ ସାହାଯ୍ୟ ନକଲ, ନାଇଁ ଯେଉଁ ଜିନିଷ ସବୁ ସେମାନେ ବୋହିନେଲେ ତା’ ଉପରେ ସେମାନଙ୍କର କି ଅଧିକାର ଥିଲା? ଅନ୍ୟର ବିପଦ ସମୟରେ ଚୋରି କରୁଥିବା ଲୋକଙ୍କର ଆମ ସଭ୍ୟ ସମାଜରେ ସ୍ଥାନ ନାହିଁ । ତେବେ ସବୁଠାରୁ ବଡ଼ କଥା ହେଉଛି ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବି ଲୋକମାନେ ଖାତିର୍ କରିନଥିଲେ ।

ମିନିଟ୍ରକରେ ମଦ ପେଟି ଲୋଡ୍ ହୋଇ ଆସୁଥିବା ବେଳେ ତାହା ବଡ଼ଚଣାର ବ୍ଲକ ଛତିଆ ନିକଟସ୍ଥ କଡ଼େଇ ଛକରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ଓ ଜାତୀୟ ରାଜପଥ କତୃପକ୍ଷ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବା ସହ ସ୍ଥାନୀୟ ଲୋକଙ୍କୁ ଘଉଡ଼ାଇ ଥିଲେ । ଖୋର୍ଦ୍ଧା ପଟୁ ଚଣ୍ଡିଖୋଲ ପଟକୁ ଆସୁଥିବା ଏକ ମଦ ବୋଝେଇ ଗାଡି କଟକରୁ ବାଲେଶ୍ୱର ପଟକୁ ମୃତଦେହ ନେଇ ଆସୁଥିବା ଏକ ଆମ୍ବୁଲାନ୍ସ ପଛପଟୁ ଧକ୍କା ଦେଇଥିଲା । ଏହି ଘଟଣାଟି ଏବେ ସ୍ଥାନୀୟ ଅଞଚ୍ଳରେ ଚର୍ଚ୍ଚାର ବିଷୟ ପାଲଯିଛି ।