ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ତୈଳଦର

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଆଜି ଠାରୁ ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ ପେଟ୍ରୋଲ୍ ଓ ଡିଜେଲ ଦରରେ ପୁଣି ବୃଦ୍ଧି କରିଛନ୍ତି । ଆଇଓସିଏଲ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦେଶର ପାଖାପାଖି ସବୁ ସହରରେ ଆଜେି ପେଟ୍ରୋଲ୍ ଦରରେ ଲିଟର୍ ପିଛା ପ୍ରାୟ ୨୫ ପଇସା ଓ ଡିଜେଲ ଲିଟର୍ ପିଛା ୩୦ ପଇସା ବୃଦ୍ଧି ପାଇଛି । ଲଗାତର ଭାବରେ ଏହା ହେଉଛି ଦ୍ୱିତୀୟ ଦିନ ଯେତେବେଳେ କି ତୈଳ କମ୍ପାନୀ ମାନେ ତୈଳ ଦର ବଢ଼ାଇଛନ୍ତି ।

ଆଇଓସିଆଲ୍ ମୁତାବକ, ଅକ୍ଟୋବର ୧ ତାରିଖରୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ବଢ଼ି ୧୦୧.୮୯ ଟଙ୍କା ଓ ଡିଜେଲ ଦର ୩୦ ପଇସା ବଢ଼ି ୯୦.୧୭ ଟଙ୍କା ହୋଇଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର୍ ପିଛା ୧୦୭.୯୫ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ରହିଛି ୯୭.୮୪ ଟଙ୍କା । ପେଟ୍ରୋଲ ଓ ଡିଜେଲ ଲଗାତର ଭାବରେ ବଢ଼ିଚାଲିଛି । ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ୍ ଉପରେ ପଡ଼ୁଛି । ତୈଳ ଦର ବଢ଼ିଚାଲିଛି ହେଲେ କମିବାର ନାଁ ଧରୁନାହିଁ । ସେପ୍ଟେମ୍ବର ୨୪ ତାରିଖ ପରେ ପେଟ୍ରୋଲ ଦର ୬ ଥର ବଢ଼ିଛି ଓ ଡିଜେଲ ତୃତୀୟ ଥର ବୃଦ୍ଧି କରାଯାଇଛି ।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୈଦେଶିକ ମୁଦ୍ରା ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ଆଧାର କରି ପ୍ରତିଦିନ ଅପଡେଟ୍ ହୁଏ । ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତିଦିନ ସମୀକ୍ଷା କରିବା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରନ୍ତି। ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳେ ବିଭିନ୍ନ ସହରର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସୂଚନା ଅପଡେଟ୍ କରନ୍ତି ।

ତେବେ ଆପଣ ମାନେ କେବଳ ଏସଏମଏସ୍ ଜରିଆରେ ନିଜ ସହରର ପେଟ୍ରୋଲ-ଡିଜେଲ୍ ଦର ଜାଣିପାରିବେ । ଏଥିପାଇଁ ଆଇଓସିଏଲ୍ ଗ୍ରାହକଙ୍କୁ ଆରଏସପି କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ ।