fbpx

ଦରଦାମରେ ନାହିଁ ଲଗାମ, ନିଦାବିଷ୍ଣୁ ସାଜିଛନ୍ତି ରାଜ୍ୟ ସରକାର; ପେଟ୍ରୋଲ-ଡିଜେଲ୍‌, ଖାଇବା ତେଲ, ଡାଲି, ପିଆଜ ସବୁ ମହଙ୍ଗା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଏବେ ବିଭିନ୍ନ ଜିନିଷର ଦରଦାମ ବଢ଼ିବାରେ ଲାଗିଛି । ଏହି କ୍ରମରେ ପେଟ୍ରୋଲ, ଡିଜେଲ୍‌, ଗ୍ୟାସ୍‌ ଠାରୁ ଆରମ୍ଭ କରି ଖାଇବା ତେଲ, ଡାଲି, ପିଆଜ ଭଳି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦାମ୍ ହୁ ହୁ ହୋଇ ବଢ଼ୁଛି । ଗୋଟେ ପଟେ କରୋନା ମହାମାରୀ କାରଣରୁ ଅନେକ ଲୋକଙ୍କ ଜୀବନ ଜୀବିକା ଚାଲିଯାଇଥିବା ବେଳେ ଏହି ଅନ୍ୟପଟେ ଏହି ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି । ଏବେ ମହାମାରୀ ଠାରୁ ଅଧିକ କଷ୍ଟ ଦରଦାମ ପାଇଁ ହେଉଥିବା ଗ୍ରାହକ ମାନେ କହିଛନ୍ତି । ସବୁ ବର୍ଗର ଲୋକ ଏବେ ମହଙ୍ଗା ମାଡ଼ରେ କଲବଲ ହୋଇଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିରୋଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଦା ବିଷ୍ଣୁ ସାଜିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦାମ୍ ଅହେତୁକ ଭାବେ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦରଦାମ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ବାଇଁ ଖୋଲାଖୋଲି କହିଛନ୍ତି ଯେ ଦରଦାମ୍ ଆହୁରି ବଢ଼ିବ । କେନ୍ଦ୍ର ସରକାର କୋଭିଡ ଆଳରେ ସେସ୍‌ ଲାଗୁ କରିବାରୁ ରାଜ୍ୟକୁ କିଛି ଅର୍ଥ ଆସୁନି । ଲଗାମ ସେମାନଙ୍କ ହାତରେ। ସେମାନେ ବ୍ଲାକମେଲିଂ କରୁଛନ୍ତି । ଆଗକୁ ସ୍ଥିତି ଆହୁରି ଖରାପ ହେବ। ଚାଷ ସମେତ ସବୁ କ୍ଷେତ୍ରରେ ପ୍ରଭାବ ପଡୁଛି । ପଶ୍ଚିମବଙ୍ଗ ନିର୍ବାଚନର ୨୦ ଦିନ ଯାଏ ସବୁ ଠିକ ଥିଲା । ମତଦାନ ସରିବା ପରେ ସବୁ ଦାମ୍ ପୁଣି ବଢ଼ିଥିଲା ।

ବର୍ତ୍ତମାନ ସ୍ଥିତିରେ ହରଡ ଡାଲି ଦାମ୍‌ ୧୦୦ଟଙ୍କା ପାର୍‌ କରିଛି । ସେହିପରି ମୁଗ ଡାଲି କେଜି ୯୬ଟଙ୍କା, ବୁଟ ଡାଲି ୭୧ଟଙ୍କା, ସୋରିଷ ତେଲ କେଜି ୧୯୧ ଟଙ୍କା, ପାମୋଲିନ୍ ତେଲ ୧୫୦ଟଙ୍କା, ସୂର୍ଯ୍ୟମୁଖୀ ତେଲ ୯୬ ଟଙ୍କା, ପେଟ୍ରୋଲ ଲିଟର୧୦୮ଟଙ୍କା, ଡିଜେଲ୍‌ ୧୦୦ ଟଙ୍କା, ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପିଛା‌ ୯୨୬ଟଙ୍କାରେ ପହଞ୍ଚିଲାଣି । ଏପରିକି ପିଆଜ ଦାମ୍ ୫୦ଟଙ୍କା ଛୁଇଁଲାଣି । ହଠାତ୍ ଦୁଇ ଦିନରେ ପ୍ରାୟ ୨୦ଟଙ୍କା ବଢ଼ିଯାଇଛି । କେବଳ ଡାଲି, ତେଲ ନୁହେଁ। ତେଜରାତି ସାମଗ୍ରୀ ଦାମ୍ ବି ବଢ଼ିଯାଇଛି । ସୋରିଷରୁ ଆରମ୍ଭ କରି ସୁଜି, ବେସନ, ଲୁଣ ଆଦି ଦାମ୍ ବଢ଼ିଯାଇଛି ।

ଚଳିତବର୍ଷ କେନ୍ଦ୍ର ସରକାରଙ୍କର ଟିକସ ତଥା ଆମଦାନୀ ଓ ରତ୍ପାନୀ ନୀତି ଏବଂ ବିଭିନ୍ନ ଡାଲି ଜାତୀୟ ଶସ୍ୟ ଓ ତୈଳବୀଜର ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଖାଇବା ତେଲ ଓ ଡାଲି ଦାମ୍ ବଢ଼ିଛି । ଏହାବ୍ୟତୀତ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ବାହାର ରାଜ୍ୟରୁ ଆମଦାନୀ କରାଯାଉଥିବା ଡାଲି ଓ ଖାଇବା ତେଲର ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟିବାରୁ ଏହା ପରୋକ୍ଷରେ ଖାଇବା ତେଲ ଓ ଡାଲିର ମୂଲ୍ୟ ବଢ଼ାଇ ଦେଇଛି । ପିଆଜ ଆମର ମୁଖ୍ୟତଃ ନାସିକରୁ ଆସିଥାଏ । ଏବେ ‌ସେଠାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ଦାମ୍ ବଢ଼ିଛି। ତେବେ ଖୁବ୍‌ ଶୀଘ୍ର ଏହା ନିୟନ୍ତ୍ରଣକୁ ଆସିବ । ଏନେଇ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.