ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବୈଷୟିକ ବଜାରରେ ଅଶୋଧିତ ତୈଳର ଦର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହା ବ୍ୟତୀତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କାରଣରୁ ଭାରତୀୟ ବଜାରରେ ୪ ମାସ ହେଲା ପେଟ୍ରୋଲ୍ – ଡିଜେଲ୍ ର ଦାମ୍ ବୃଦ୍ଧି ପାଇ ନାହିଁ । କିନ୍ତୁ ନିର୍ବାଚନ ସରିବା ପରେ ହୁ ହୁ ହୋଇ ତେଲ ରେଟ୍ ବଢ଼ିବ ବୋଲି ସୂଚନା ।
ଆଇସିଆଇସିଆଇ ସିକ୍ୟୁରିଟିଜ୍ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ଯେ, ଗତ ଦୁଇ ମାସ ମଧ୍ୟରେ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ସରକାରୀ ମାଲିକାନାରେ ଥିବା ଖୁଚୁରା ତୈଳ କମ୍ପାନୀଗୁଡିକ ବହୁ କ୍ଷତି ସହୁଛନ୍ତି । ଘରୋଇ ତୈଳ କମ୍ପାନୀଗୁଡିକୁ କେବଳ ଯୋଗାଣ ଖର୍ଚ୍ଚ ବହନ କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ମୂଲ୍ୟ ମାର୍ଚ୍ଚ ୧୬ ତାରିଖ ପୂର୍ବରୁ ୧୨.୧ ଟଙ୍କା ବୃଦ୍ଧି କରିବାକୁ ପଡିବ ।
ଖାଲି ସେତିକି ନୁହେଁ ଯଦି ଲାଭକୁ ବି ଯୋଡ଼ାଯିବ ତାହେଲେ ଘରୋଇ ତୈଳ କମ୍ପାନୀ ୧୨ ଟଙ୍କା ନୁହେଁ ବରଂ ୧୫.୧ ଟଙ୍କା ଲିଟର୍ ପିଛା ମୂଲ୍ୟ ବଢ଼ାଇବାକୁ ହେବ । ଏନେଇ ଆଇସିଆଇସିଆଇ ସିକ୍ୟୁରିଟିଜ୍ ନିଜ ରିପୋର୍ଟରେ କହିଛନ୍ତି । ଏତଦ୍ ବ୍ୟତୀତ ରିପୋର୍ଟ ଅନୁସାରେ, ଭାରତ ନିଜର ଆବଶ୍ୟକତା ହିସାବରେ ୮୫ ପ୍ରତିଶତ ଅଶୋଧିତ ତେଲ ଆମଦାନୀ କରିଥାଏ । ଏହି କାରଣରୁ ଘରୋଇ ସ୍ତରରେ ପେଟ୍ରୋଲ୍ – ଡିଜେଲ୍ ମୂଲ୍ୟ, ଅଶୋଧିତ ତେଲର ବିଶ୍ୱ ସ୍ତରର ଦାମ୍ ସହିତ ପ୍ରଭାବିତ ହୋଇଥାଏ ।
ସୂଚନାଯୋଗ୍ୟ, ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୧୨୦ ଡଲାର୍ ରେ ପହଞ୍ଚିଛି । ଏହା ହେଉଛି ୯ ବର୍ଷର ସବୁଠୁ ଅଧିକ ଦର । ହେଲେ ଏଥିରେ ଆଂଶିକ ହ୍ରାସ ପାଇ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୧୧ ଡଲାର୍ ରେ ହୋଇଛି ।