fbpx

ଡୋମିନୋସ୍ ସର୍ଭର ଉପରେ ସାଇବର୍ ଆଟାକ୍:୧୦ ଲକ୍ଷ ଭାରତୀୟଙ୍କ କ୍ରେଡିଟ୍ କାର୍ଡ ତଥ୍ୟ ଲିକ୍

ନୂଆଦିଲ୍ଲୀ,  ୨୦ ।୪ (ଓଡିଶା ଭାସ୍କର)  : ଡୋମିନୋସ୍ ରେ ପିଜା ଅର୍ଡର କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । କୌଣସି ବି ମୁହୁର୍ତ୍ତରେ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହୋଇପାରେ । ତେଣୁ ସମୟ ଥାଉ ଥାଉ ସଚେତ୍ ହୋଇଯାଆନ୍ତୁ । ଏପରି କହିବାର କାରଣ ହେଲା ପିଜା ବ୍ରାଣ୍ଡ ଡୋମିନୋସ୍ ସର୍ଭରରେ ୧୦ ଲକ୍ଷ ଲୋକଙ୍କ କ୍ରେଡିଟ୍ କାର୍ଡର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହୋଇଯାଇଛି । ଏନେଇ ଇସ୍ରାଏଲ୍ ର ସିକ୍ୟୁରିଟି ଫର୍ମ “ଅଣ୍ଡର ଦ ବ୍ରିଚ୍’ ସୁଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, ଲିକ୍ ହୋଇଥିବା ଡାଟାବେସ୍ ରେ ୧୮ କୋଟିରୁ ଅଧିକ ଅର୍ଡରର ଡିଟେଲ୍ ରହିଥିଲା । ଏଥିସହିତ ଅନେକ ଗୁଡିଏ ତଥ୍ୟ ଯେପରିକି ନାମ, ଫୋନ୍ ନମ୍ବର, ଇମେଲ୍, କ୍ରେଡିଟ୍ କାର୍ଡର ଡିଟେଲ୍ ଏସବୁ ଲିକ୍ ହୋଇଯାଇଛିି ।


ସୁଚନା ଯେ, ଲିକ୍ ହୋଇଥିବା ୧୦ ଲକ୍ଷରୁ ଅଧିକ ଲୋକଙ୍କର କ୍ରେଡିଟ୍ କାର୍ଡ ତଥ୍ୟ ଏବେ ଡାର୍କ ୱେବରେ ବିକ୍ରି ହେବାକୁ ଯାଉଛି । ଏନେଇ ଡୋମିନୋସର ପ୍ୟାରେଣ୍ଟ କମ୍ପାନୀ ଯିଏକି ଭାରତରେ ଡୋମିନୋସ୍ କୁ ଚଳାଉଛି ବା ଜୁବିଲାଣ୍ଟ ଫୁଡ୍ ୱର୍କସ୍ ଏହି ଖବରକୁ ସ୍ୱୀକାର ନ କରିଥିଲେ ମଧ୍ୟ କହିଛନ୍ତି ଯେ, କୌଣସି ଆର୍ଥିକ ତଥ୍ୟ ଲିକ୍ ହୋଇନାହିଁ । ସେ ନିଜ ଆଡୁ କହିଛନ୍ତି ଯେ, ନିକଟରେ ସିକ୍ୟୁରିଟିକୁ ଉଲଂଘନ କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ଏଥିରେ କମ୍ପାନୀର କୌଣସି କାର୍ଯ୍ୟକଳାପ କିମ୍ବା ବ୍ୟବସାୟ ଉପରେ ପ୍ରଭାବ ପଡିବନାହିଁ । ଏଥିସହିତ ଆମ ନିୟମ ଅନୁସାରେ କୌଣସି ଗ୍ରାହକଙ୍କ ଆର୍ଥିକ ତଥ୍ୟ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟକୁ ଆମେ ରଖୁନାହୁଁ । ତେଣୁ ଏମିତି କିଛି ତଥ୍ୟ ଲିକ୍ ହୋଇନି ।

 

ଉଲ୍ଲେଖଯୋଗ୍ୟ ଯେ, ୟୁଟିବି ପ୍ରମୁଖ ଏଲନ୍ ଗଲ୍ ଟୁଇଟ୍ କରି ଏହି ବଡ ଧରଣର ତଥ୍ୟ ଲିକ୍ ହେବା ବିଷୟରେ ସୁଚନା ଦେଇଥିଲେ । ସେ କହିଥିଲେ ଯେ, ଲିକ୍ ହୋଇଥିବା ଡାଟାର ସାଇଜ୍ ପାଖାପାଖି ୧୩ ଟିବି ଏବଂ ଏଥିରେ ୧୦ ଲକ୍ଷ ଭାରତୀୟଙ୍କ କ୍ରେଡିଟ୍ କାର୍ଡର ତଥ୍ୟ ଓ ୧୮ କୋଟି ଅର୍ଡରର ଡିଟେଲ୍ ରହିଥିଲା । ଆଉ ହ୍ୟାକର୍ ମାନେ ଏହି ତଥ୍ୟକୁ ବିକ୍ରି କରିବାକୁ ୪ କୋଟି ଟଙ୍କା ନେବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.