fbpx

ଅତିବାଇଗଣୀ ରଶ୍ମୀକୁ ବ୍ୟବହାର କରି ପ୍ଲାଷ୍ଟିକକୁ ନଷ୍ଟ କରିବା ସମ୍ଭବ, ବୈଜ୍ଞାନିକଙ୍କ ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଆଜିର ସମୟରେ ପ୍ଲାଷ୍ଟିକର ବ୍ୟବହାର ଆଉ ପରିବେଶ ସୁରକ୍ଷା ବିଶ୍ୱ ଆଗରେ ମୁଖ୍ୟ ପ୍ରସଙ୍ଗ ଭାବେ ଠିଆ ହୋଇଛି । ପ୍ଲାଷ୍ଟିକର ବିକଳ୍ପ ବାହାର କରିବା ପାଇଁ ବିଶ୍ୱସ୍ତରରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି । ତେବେ ନିକଟରେ ପ୍ଲାଷ୍ଟିକକୁ ନେଇ ବ୍ରିଟେନର ବୈଜ୍ଞାନିକମାନେ ଏକ ନୂଆ ତଥ୍ୟ ପାଇଛନ୍ତି । ପଲିମରରେ ସୁଗାର ମଲିକ୍ୟୁଲ ଯୋଗ କରିବା ଦ୍ୱାରା ସେଥିରୁ ପ୍ରସ୍ତୁତ ପ୍ଲାଷ୍ଟିକ ଅଲଟ୍ରା ଭାଓଲେଟ (ୟୁଭି) ଲାଇଟରେ ନଷ୍ଟ ହୋଇପାରିବ ବୋଲି ବାଥ୍ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।

ସାଧାରଣ ଭାବେ ୟୁଭି ରେଡିଏସନ ତରଙ୍ଗର ଲମ୍ବ ୧୦ ନାନୋ ମିଟରରୁ ୪୦୦ ନାନୋ ମିଟର ହୋଇଥାଏ । ବାୟୋଡିଗ୍ରେଡେବୁଲ ସ୍ତରରେ ଥିବା ଅନେକ ପ୍ଲାଷ୍ଟିକକୁ ଔଦ୍ୟୋଗିକ ଭାବେ ଶିଳ୍ପ ତଥା କଳକାରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ନଷ୍ଟ କରାଯାଇ ପାରିବ ନାହିଁ ଜଣାପଡ଼ିଛି । ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ୍ ବର୍ଜ୍ୟ ସମସ୍ତଙ୍କର ଚିନ୍ତା ବଢ଼ାଇଥିବା ବେଳେ ଲୋକମାନେ ପଲିଲାକଟିକ୍ ଏସିଡ (ପିଏଲଏ)ର ବହୁତ ବ୍ୟବହାର କରିବାରେ ଲାଗିଲେଣି ।

ଚା’ ବ୍ୟାଗ୍, ଥ୍ରୀଡି ପ୍ରିଣ୍ଟିଂ, ପ୍ୟାକେଜିଂ ପାଇଁ ଆବଶ୍ୟକ ହେଉଥିବା ପ୍ଲାଷ୍ଟିକରେ ପିଏଲଏ ବ୍ୟବହାର କରାଯାଇଥାଏ । ପ୍ରାକୃତିକ ଭାବେ ପ୍ଲାଷ୍ଟିକ ମାଟିରେ କିମ୍ବା ସମୁଦ୍ରରେ ନଷ୍ଟ ହେବା ସହଜ ହୋଇ ନଥାଏ । ତେବେ ଅତିକମରେ ୩ ପ୍ରତିଶତ ସୁଗାର ମଲିକ୍ୟୁଲ ମିଶାଇ ପ୍ରସ୍ତୁତ ହେଉଥିବା ପିଏଲଏକୁ ମାତ୍ର ୬ ଘଣ୍ଟା ପର୍ଯ୍ୟନ୍ତ ୟୁଭି ରଶ୍ମୀ ସଂସ୍ପର୍ଶରେ ରଖିବା ଦ୍ୱାରା ତା’ର ୪୦ ପ୍ରତିଶତ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ବୋଲି ଗବେଷଣାରୁ ଜଣାପଡ଼ିଛି । ପିଏଲଏ ପ୍ଲାଷ୍ଟିକରେ ପଲିମର ଚେନ ରହିଥିବା କାରଣରୁ ତାହା ପାଣିରେ ପ୍ରବେଶ କରିବା କଷ୍ଟକର ହୋଇଥାଏ । ତେବେ ଏହି ଗବେଷଣାଦ୍ୱାରା ନଷ୍ଟ ହେବା ଭଳି ପ୍ଲାଷ୍ଟିକ ପ୍ରସ୍ତୁତ ହେବା ସମ୍ଭବ ବୋଲି କୁହାଯାଉଛି ।

Get real time updates directly on you device, subscribe now.