ପର ପାଇଁ ଆମେ ନିଜ ଜୀବନକୁ କାହିଁକି ନଷ୍ଟ କରିବା, ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ପିତାମାତାଙ୍କ କଥା ଥରେ ଭାବନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): “ମୁଁ ଗୋଟିଏ ମଣିଷ । ଈଶ୍ୱର ମୋତେ ଜନ୍ମ ଦେଇଛନ୍ତି । ମୁଁ ଅମୃତ ଦୀପ୍ତିର ସନ୍ତାନ । ମୋର ଜନ୍ମଦାତ୍ରୀଙ୍କ ପାଖରେ ମୁଁ ସାତଜନ୍ମ ପାଇଁ ଋଣୀ । ମୁଁ ଏତେ ଭାଗ୍ୟବାନ ଯେ ଏ ପବିତ୍ର ଧରାପୃଷ୍ଠରେ ଜନ୍ମଲାଭ କରିଛି । କ’ଣ ନାହିଁ ମୋ ପାଖରେ? ବିଶ୍ୱର ସବୁ ଖୁସି ମୋ ମନ, ମୋ ହୃଦୟରେ ଭରି ରହିଛି । ଯାହା ଚାହିଁବି ମୁଁ ମୋ ଜୀବନରେ ହାସଲ କରିପାରିବି ।

ଆତ୍ମହତ୍ୟା….ଛି…. । ମୁଁ କ’ଣ ଏତେ ଦୁର୍ବଳ ସାମାନ୍ୟ କଥାରେ ବ୍ୟତିବ୍ୟସ୍ତ ହୋଇପଡ଼ିବି । ମୁଁ କ’ଣ ଏତେ ଭୀରୁ ଏପରି କୁତ୍ସାରପଥକୁ ଆଦରି ନେବି । କିଏ ମୋତେ ଭଲ ପାଇ ପ୍ରତାରଣା କରିଦେଲା, କିଏ ମୋର ଜୀବନକୁ ବର୍ବାଦ କରିଦେଲା । ଏହା ତ ମୋ ଜୀବନ ସାଗରର ସାମାନ୍ୟ ବିନ୍ଦୁ ସଦୃଶ କ୍ଷତି । ମୁଁ ଏଥିରେ କାହିଁକି ମିୟମ୍ରାଣ ହୋଇପଡ଼ିବି । ପୁରୁଷ ହେଉ ବା ମହିଳା ହେଉ, ପୁଅ ହେଉ ବା ଝିଅ ହେଉ, ପର ପାଇଁ ମୁଁ କାହିଁକି ମୋ ଜୀବନକୁ ହାରିବି ।

ଜୀବନରେ କେବଳ ଏତିକି କଷ୍ଟ ନୁହେଁ, ଆହୁରି ବହୁ କଷ୍ଟର ପଥ ଅତିକ୍ରମ କରିବାକୁ ପଡ଼ିବ । ତା’ ବୋଲି ମୁଁ ଭାଙ୍ଗିଯିବି ଆଉ ଜୀବନକୁ ହାରିଦେବି । ଶାରୀରିକ, ମାନସିକ ସ୍ତରରେ ମୋତେ କେହି ବି ହରାଇ ପାରିବେ ନାହିଁ । ମୋତେ କେହି ମୋ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରିବେ ନାହିଁ । ଆତ୍ମହତ୍ୟା କରୁଥିବା ଦୁର୍ବଳ ମଣିଷମାନଙ୍କ ମୁହଁ ମୁଁ ଦେଖିବାକୁ ଚାହେଁନା ।

ଲାଜ ଲାଗିବା କଥା ଆମ ମଣିଷ ସମାଜକୁ । ଗୋଟିଏ ବୃକ୍ଷ ଡାଳରେ ପ୍ରତିଦିନ କେତେ ଯେ ପବନର ମାଡ଼ ହୁଏ, ତା’ର ହିସାବ ନାହିଁ । ସେ କ’ଣ ଭାଙ୍ଗି ପଡ଼ିଛି । ଆମେ ମଣିଷ ଜାତି କ’ଣ ଗଛଠାରୁ ବି ହୀନ । ଯଦି ନୁହେଁ ତେବେ ଆମେ କାହିଁକି ଏପରି କୁପଥକୁ ଆଦରିନେବା । ଥରେ ଭାବନ୍ତୁ ଆମେ କେତେବଡ଼ ଭୁଲ୍ କରୁଛେ ।”

Get real time updates directly on you device, subscribe now.