fbpx

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଞ୍ଚ ହେଲା PM-DAKSH Portal, ଦକ୍ଷତା ବିକାଶ ପାଇଁ ଦିଆଯିବ ତାଲିମ୍

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ଆଜି ‘ପିଏମ-ଦକ୍ଷ’ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି । ଏହା ମାଧ୍ୟମରେ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ସଫାଇ କର୍ମଚାରୀଙ୍କୁ ଦକ୍ଷତା ବିକାଶ ପାଇଁ ଟ୍ରେନିଂ ଦିଆଯିବ । ଏହି ଯୋଜନାରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସରକାରଙ୍କ ଦ୍ୱାରା ଉପଯୁକ୍ତ ତାଲିମ୍ ପ୍ରଦାନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

୨୦୨୦-୨୧ ବର୍ଷରେ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ଦକ୍ଷତା ଓ କୁଶଳତା ସମ୍ପର୍ଣ୍ଣ ହିତଗ୍ରାହୀ (ପିଏମ-ଦକ୍ଷ) ଯୋଜନା ପ୍ରଣୟନ କରାଯାଇଥିଲା । ଏଣିକି ଯେ କୌଣସି ବ୍ୟକ୍ତି ପିଏମ-ଦକ୍ଷ ପୋର୍ଟାଲକୁ ଯାଇ ଦକ୍ଷତା ବିକାଶ ସମ୍ବନ୍ଧିତ ସମସ୍ତ ସୂଚନା ପାଇପାରିବ । କେବଳ ଗୋଟିଏ କ୍ଲିକରେ ଆଖପାଖର ସମସ୍ତ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଷୟରେ ଜାଣିହେବ । ଜଣେ ଚାହିଁଲେ ଏଥିରେ ତାଲିମ୍ ନେବା ପାଇଁ ନିଜର ନାମ ପଞ୍ଜୀକରଣ କରିପାରିବ । ଡିଜିଟାଲ ବେଷ୍ଟ ପ୍ରାକ୍ଟିସ୍ ଓ ଉତ୍ତର-ପୂର୍ବ ରାଷ୍ଟ୍ରୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ଅବସରରେ ମନ୍ତ୍ରୀ କହିଥିଲେ ଯେ, ଡିଜିଟାଲ ମାଧ୍ୟମରେ ଲୋକଙ୍କୁ ବୌଦ୍ଧିକ ସ୍ତରରେ ବିକଶିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ପିଏମ-ଦକ୍ଷ ପୋର୍ଟାଲରେ ଅନୁସୂଚିତ ଜାତି, ପଛୁଆ ବର୍ଗଙ୍କ ପାଇଁ ଟ୍ରେନିଂ ବ୍ୟବସ୍ଥା କରାଯାଇଛି । ଯାହା ମାଧ୍ୟମରେ ଉକ୍ତ ଅଣବିକଶିତ ଶ୍ରେଣୀର ଲୋକମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇପାରିବେ । ଏହି ପୋର୍ଟାଲରେ ଆଖି ସ୍କାନିଂ, ଫଟୋ, ଭିଡିଓ ଅପଲୋଡ୍ ଆଦି ସୁବିଧା ରହିବା ସହ ଲୋକଙ୍କ ହିତସାଧନ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧-୨୨ ବର୍ଷରେ ପାଖାପାଖି ୫୦ ହଜାର ଲୋକଙ୍କୁ ଦକ୍ଷତା ବିକାଶ ନିମନ୍ତେ ତାଲିମ୍ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.