fbpx

‘ଖେଳାଳିମାନେ ଦେଶକୁ ଗର୍ବିତ କରିଛନ୍ତି, ଆମେ ତୁମ ସହିତ ସର୍ବଦା ରହିଛୁ ଓ ରହିଥିବୁ’: ଭାରତର ପରାଜୟ ପରେ ସାନ୍ତ୍ୱନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘବର୍ଷ ପରେ ପୁଣି ଥରେ ବିଶ୍ୱ ଚାମ୍ପିୟନ ହେବା ପାଇଁ ଭାରତ ଯେଉଁ ସ୍ୱପ୍ନ ଦେଖି ଆସିଥିଲା ତାହା ଏବେ ଭାଙ୍ଗି ଯାଇଛି । ଅଷ୍ଟ୍ରେଲିଆ ନିକଟରୁ ଫାଇନାଲରେ ଭାରତ ୬ ୱିକେଟରେ ପରାସ୍ତ ହୋଇ ସାରା ଦେଶବାସୀଙ୍କୁ ନିରାଶ କରିଛି । ମ୍ୟାଚ ଅଷ୍ଟ୍ରେଲିଆ ପାଖକୁ ଚାଲିଯାଉଥିବା ବେଳେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ଭାରତୀୟ ପ୍ରଶଂସକ ନିସ୍ତବ୍ଧ ହୋଇଯାଇଥିଲେ ।

ଚଳିତ ବିଶ୍ୱକପରେ କ୍ରମାଗତ ୧୦ଟି ମ୍ୟାଚରେ ବିଜୟ ହାସଲ କରି ଅପରାଜେୟ ରହିଆସିଥିବା ଟିମ୍ ଇଣ୍ଡିଆ ଏପରି ଭାବେ ପରାଜୟ ବରଣ କରିବ ବୋଲି କେହି କେବେ କଳ୍ପନା କରିନଥିଲେ । ଭାରତର ପରାଜୟରେ ସମ୍ପୂର୍ଣ୍ଣ ଭାବେ ମର୍ମାହତ ହୋଇପଡ଼ିଛନ୍ତି ଅଧିନାୟକ ରୋହିତ ଶର୍ମା, ଅନ୍ୟ ସାଥୀ ଖେଳାଳି ଓ ସାରା ଦେଶର ଅଗଣିତ ପ୍ରଶଂସକ । ସଭିଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ‘ଉଚ୍ଚକୋଟୀର ପ୍ରଦର୍ଶନ କରିଆସୁଥିବା ଭାରତ ଅଚାନକ ହାରିଲା କାହିଁକି?’

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମ୍ୟାଚ ଦେଖିବାକୁ ଓ ଖେଳାଳିଙ୍କ ଉତ୍ସାହ ବଢ଼ାଇବାକୁ ଷ୍ଟାଡିୟମକୁ ଯାଇଥିଲେ । ଭାରତର ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତ ଖେଳାଳି ଓ ଦେଶବାସୀଙ୍କୁ ସାନ୍ତ୍ୱନା ଦେଇଛନ୍ତି । ମୋଦୀ କହିଛନ୍ତି, ‘ଭାରତୀୟ ଖେଳାଳିମାନେ ଚଳିତ ବିଶ୍ୱକପରେ ନିଜର ଉଚ୍ଚକୋଟୀର ଦକ୍ଷତାର ପ୍ରମାଣ ଦେଇଛନ୍ତି । ଏହା ସାରା ଭାରତକୁ ଗର୍ବିତ କରିଛି । ଆମେ ସର୍ବଦା ଖେଳାଳିଙ୍କ ସହିତ ରହିଛୁ ଓ ରହିଥିବୁ ।’ ସୋସିଆଲ ମିଡ଼ିଆ ଏକ୍ସ’ରେ ମୋଦୀ ଏନେଇ ଏକ ପୋଷ୍ଟ ଶେୟାର କରିଛନ୍ତି ।

Get real time updates directly on you device, subscribe now.