fbpx

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ୨୦ହଜାର କୋଟି ପ୍ରକଳ୍ପର କରିବେ ଉଦ୍‍ଘାଟନ, ସୃଷ୍ଟି ହେବ ନିଯୁକ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ୨୦ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ତୈଳ ଏବଂ ଗ୍ୟାସ୍‍, ରେଳବାଇ, ରାସ୍ତା, ପରିବହନ ଏବଂ ଆଣବିକ ଶକ୍ତି କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଏବଂ ଉଦ୍‍ଘାଟନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଦିନକୁ ୫୦ଲକ୍ଷ ଲିଟର କ୍ଷମତାବିଶିଷ୍ଟ ସମୁଦ୍ର ଜଳରୁ ଲବଣ ଅପସାରଣ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ସହିତ ୭୭ କିଲୋମିଟର ଚଣ୍ଡିଖୋଲ-ପାରାଦ୍ୱୀପ ସେକ୍ସନର ୮ଲେନ୍‍ କରିବା ପାଇଁ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଆଜି ଲୋକାର୍ପଣ ଏବଂ ଶିଳାନ୍ୟାସ କରୁଥିବା ପ୍ରକଳ୍ପଗୁଡ଼ିକ ଯୋଗୁଁ ୬୦ଲକ୍ଷ ଶ୍ରମଦିବସର ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି । ଏହାବ୍ୟତୀତ ଓଡ଼ିଶା ଏବଂ ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ ମଧ୍ୟରେ ଉନ୍ନତ ଯୋଗାଯୋଗ ସ୍ଥାପନ ହୋଇପାରିବ ।

ଏଥିସହିତ ଶ୍ରୀ ମୋଦୀ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର– ପାରାଦ୍ୱୀପ ରେଳମାର୍ଗରେ ପ୍ରଥମ ଯାତ୍ରୀବାହୀ ମେମୁ ଟ୍ରେନ୍‍ ଚଳାଚଳର ଶୁଭାରମ୍ଭ କରିବେ । ପାରାଦ୍ୱୀପ–କେନ୍ଦୁଝରଗଡ଼ ମଧ୍ୟରେ ଏହା ପ୍ରଥମ ଟ୍ରେନ୍‍ ଚଳାଚଳ କରିବ ।

ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜନଜାତି ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଉପସ୍ଥିତ ରହିବେ ।

Get real time updates directly on you device, subscribe now.