fbpx

ସ୍ୱାସ୍ଥ୍ୟ ବିଭାଗ ଗଠନ କଲା ଗବେଷଣା ପାଣ୍ଠି: ଗବେଷଣା ପାଇଁ ବାର୍ଷିକ ଖର୍ଚ୍ଚ ହେବ ୯ କୋଟି, ୩ଟି ମେଡିକାଲ କଲେଜକୁ ୧ କୋଟି ଲେଖାଏଁ ମିଳିବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗବେଷଣା କ୍ଷେତ୍ରରେ ଆଗ୍ରହୀ ଥିବା ଡାକ୍ତରଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ମେଡିକାଲ କଲେଜରେ ଗବେଷଣା ପାଇଁ ଡାକ୍ତରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଦି ଷ୍ଟେଟ ସେକ୍ଟର ସ୍କିମ (ଏସଏସଏସ) ରିସର୍ଚ୍ଚ ଫଣ୍ଡ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇଛି । ଏନେଇ ଆବଶ୍ୟକୀୟ ନୀତି ଓ ନିୟମ ଅଣାଯିବା ସହିତ ୫ ବର୍ଷ ପାଇଁ ନୀତି ନିର୍ଦ୍ଧାରଣ କରାଯିବ ।

କେନ୍ଦ୍ର ସରକାର ଯେଉଁ ଭଳି ଭାବେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ମେଡିକାଲ କଲେଜକୁ ଗବେଷଣା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି ଠିକ୍ ସେହିପରି ଭାବେ ରାଜ୍ୟରେ ପ୍ରଥମ ଥର ଲାଗି ସରକାରୀ ଡାକ୍ତରୀଙ୍କୁ ଗବେଷଣା କରିବା ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ । ଚଳିତ ମାସ ପ୍ରଥମ ସପ୍ତାହରେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ବିଭାଗ ପକ୍ଷରୁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଅର୍ଥ ବିଭାଗ ପକ୍ଷରୁ ଏ ବାବଦରେ ସହମତି ପ୍ରକାଶ ପାଇଛି ।

ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଯେତିକି ଜରୁରୀ ଡାକ୍ତରମାନଙ୍କର ଦକ୍ଷତା ବିକାଶ କରାଯିବା ମଧ୍ୟ ସେତିକି ଜରୁରୀ । ତେଣୁ ରାଜ୍ୟ ସରକାର ଡାକ୍ତରୀ ଗବେଷଣା ପାଇଁ ଏକ ଗବେଷଣା ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ମେଡିକାଲ କଲେଜଗୁଡ଼ିକରେ ଗବେଷଣା ପାଇଁ ସରକାର ୯ କୋଟି ଟଙ୍କା ଖର୍ଚ୍ଚ କରିବେ । । କଟକର ଏସସିବି, ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭିମସାର ମେଡିକାଲ କଲେଜ ପାଇଁ ୧ କୋଟି ଲେଖାଏଁ ଖର୍ଚ୍ଚ କରାଯିବ । ସେହିପରି ନୂଆ କରି ପ୍ରତିଷ୍ଠା ହୋଇଥିବା ମେଡିକାଲ କଲେଜ ଓ ଏସସିବି ଡେଣ୍ଟାଲ କଲେଜକୁ ବର୍ଷକୁ ୫୦ ଲକ୍ଷ ଲେଖାଏଁ ଅର୍ଥ ପ୍ରଦାନ କରାଯିବ । ମେଡିକାଲ ପିଜି ଅନୁଷ୍ଠାନକୁ ଗବେଷଣା ପାଇଁ ବାର୍ଷିକ ୨୫ ଲକ୍ଷ ପ୍ରଦାନ କରାଯିବ ।

ଏହାଦ୍ୱାରା ଦେଶରେ ସମ୍ମିଳନୀ, ଆଲୋଚନା ଓ ଗବେଷଣା ପ୍ରକାଶନ ପାଇଁ ସ୍ୱାସ୍ଥ୍ୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସୁଯୋଗ ମିଳିବ । ଏଥିସହିତ ମେଡିକାଲ ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଗବେଷଣାଲବ୍ଧ ଫଳାଫଳକୁ କାର୍ଯ୍ୟରେ ବିନିଯୋଗ କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.