ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫୯ତମ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀରେ ଯୋଗଦେବାକୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଏହି ସମ୍ମିଳନୀକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ତାଙ୍କ ବିଭିନ୍ନ ପ୍ରକାରର ଓଡ଼ିଆ ଓ ଗୁଜରାତୀ ଖାଦ୍ୟର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।
ତେବେ ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଏକ କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାରେ ଭାଷଣ ଦେଇ ଜନତାଙ୍କ ହୃଦୟ ଜିତିପାରିଥିଲେ । ଏହି ଅବସରରେ ମୋଦୀ ଓଡ଼ିଶା ପର୍ବକୁ ପ୍ରଶଂସା କରିବା ସହ ଚା’ ସେ ପିଇଥିବା କହିଥିଲେ । ଜଗନ୍ନାଥଙ୍କ ନାମ ଧରି ମୋଦୀ ନିଜର ଭାଷଣ ଆରମ୍ଭ କରିଥିଲେ । ମୋଦୀଙ୍କ ଭାଷଣ ପରେ ଜୟ ଶ୍ରୀରାମ ନାରାରେ ସମଗ୍ର ଏୟାରପୋର୍ଟ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ।
‘ଓଡ଼ିଶାର ଭାଇ-ଭଉଣୀମାନଙ୍କୁ ମୋର ନମସ୍କାର, ଜୁହାର । ଓଡ଼ିଶାର ସବୁ ପରିବାର ମା’-ମାଉସୀ, ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ନିକଟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ପର୍ବରେ ଯୋଗଦେବାର ସୁଯୋଗ ମିଳିଥିଲା । ସେଠାରେ ଓଡ଼ିଶାର ଚା’ ପିଇଥିଲି ।’ ଏହା ଥିଲା ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କର ଭାଷଣର ଏକ ଅଂଶ । ଓଡ଼ିଶାରେ ବିଜୟ ପରେ ବିଜେପି ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ବିଜୟପ୍ରାପ୍ତ କରିଥିବା ମୋଦୀ ଏହି ଅବସରର କହିଥିଲେ ।