fbpx

(Video) G20 Summit 2022ରେ ଚମକିଲେ ମୋଦୀ: ଇଣ୍ଡୋନେସିଆର ପ୍ରାଚୀନ ବାଦ୍ୟଯନ୍ତ୍ର ବଜାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଜି୨୦ ସମ୍ମିଳନୀ ୨୦୨୨ରେ ଯୋଗ ଦେବା ସହିତ ଭାରତୀୟ ସଂପ୍ରଦାୟଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଇଣ୍ଡୋନେସିଆର ବାଲିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ଅବସରରେ ପୁଣି ମୋଦୀ ଏକ ନୂଆ କାର୍ଯ୍ୟ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

ପିଏମ୍ ମୋଦୀ କାର୍ଯ୍ୟକ୍ରମରେ ସ୍ଥଳରେ ଇଣ୍ଡୋନେସିଆର ପ୍ରାଚୀନ ବାଦ୍ୟଯନ୍ତ୍ର ବଜାଇବାକୁ ପ୍ରୟାସ କରିଥିଲେ । ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପୂରାତନ ପୋଷାକରେ ସଜ୍ଜିତ ହୋଇଥିବା ଦୁଇଜଣ ପୁରୁଷ ବାଦ୍ୟଯନ୍ତ୍ର ପରିବେଷଣ କରୁଥିବା ଦେଖାଯାଇଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିଲେ ସେହି ସମୟରେ ଉକ୍ତ ଯୁବକମାନେ ସଙ୍ଗୀତ ପରିବେଷଣ କରୁଥିଲେ । ଏହି ସମୟରେ ମୋଦୀ ସେମାନଙ୍କ ନିକଟକୁ ଯାଇ ବାଦ୍ୟଯନ୍ତ୍ରର ଗୋଟିଏ ବିଟ୍ ବଜାଇଥିଲେ । ଏହାପରେ ଉକ୍ତ କଳାକାରଙ୍କୁ ମୋଦୀ ଧନ୍ୟବାଦ ଦେବା ସହିତ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆଗକୁ ବଢ଼ିଥିଲେ ।

ଚଳିତ ଜି୨୦ ସମ୍ମିଳନୀରେ ମୋଦୀ ଏକାଧିକ ବିଶ୍ୱସ୍ତରୀୟ ନେତାଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବ୍ରିଟେନର ନବନିର୍ବାଚିତ ପିଏମ୍ ଋଷି ସୁନକ, ଆମେରିକା ରାଷ୍ଟ୍ରପତି ଜୋ ବିଡେନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରମୁଖ ନେତା । ଆଜି ପିଏମ ମୋଦୀ ପ୍ରଥମେ ଆମେରିକା ରାଷ୍ଟପ୍ରତି ବିଡେନଙ୍କୁ ସାକ୍ଷାତ କରିଥିଲେ । ଦୁଇ ନେତା ପରସ୍ପର ସହିତ ଖୁସିରେ କିଛି ସମୟ ବିତାଇଥିଲେ । ଦୁଇ ନେତା ପରସ୍ପର ସହ କରମର୍ଦ୍ଦନ କରୁଥିବାର ଫଟୋ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଥିଲା । ୨୦୨୨ ମସିହା ଡିସେମ୍ବର ମାସ ୧ ତାରିଖରୁ ଏକ ବର୍ଷ ପାଇଁ ଭାରତ ଜି୨୦ ସମ୍ମିଳନୀର ଦାୟିତ୍ୱ ନେବାକୁ ଯାଉଛି । ତେଣୁ ଚଳିତ ଜି୨୦ ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

Get real time updates directly on you device, subscribe now.