fbpx

PMNRF ପକ୍ଷରୁ ରେଳ ଦୁର୍ଘଟଣାର ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା

Advertisement

ନୂଆଦିଲ୍ଲୀ: ଗତ ଜୁନ ମାସ ୨ ତାରିଖରେ ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ପୁଣି ଦେଖିବାକୁ ମିଳିଛି ଏକ ବଡ଼ଧରଣର ଦୁର୍ଘଟଣା । ଆନ୍ଧ୍ରପ୍ରଦେଶର କଣ୍ଟକାପାଲି ଆଲମଣ୍ଡା ଷ୍ଟେସନ ନିକଟରେ ଘଟିଛି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା । ପ୍ରଥମେ ଗୋଟିଏ ଟ୍ରେନ ଲାଇନଚ୍ୟୁତ ହେବା ପରେ ପରବର୍ତ୍ତୀ ସମୟରେ ୨ଟି ଟ୍ରେନ ଆସି ତାହାକୁ ଧକ୍କା ଦେଇଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣା ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସହାୟତା ପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡ (ପିଏମଏନଆରଏଫ) ପକ୍ଷରୁ ଟ୍ରେନ ଦୁର୍ଘଟଣାର ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଦୁର୍ଘଟଣାର ମୃତକଙ୍କ ପାଇଁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ।

ତ୍ୱରିତ ଭାବେ ଉଦ୍ଧାର କାର୍ଯ୍ୟ କରିବା ଓ ଯଥାସମ୍ଭବ ଆମ୍ବୁଲାନ୍ସ ପଠାଇବାକୁ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଆଦେଶ ଜାରି କରିଛନ୍ତି । ଏଥିସହିତ ଆହତଙ୍କୁ ମାଗଣାରେ ଚିକିତ୍ସା କରାଇବା ପାଇଁ ନିକଟବର୍ତ୍ତୀ ସମସ୍ତ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତ ଯାତ୍ରୀମାନଙ୍କୁ କିପରି ଶୀଘ୍ର ଓ ସଠିକ୍ ଭାବେ ଚିକିତ୍ସା ସୁବିଧା ମିଳିପାରିବ ସେନେଇ ସୁନିଶ୍ଚିତ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ, ପୋଲିସ, ରାଜସ୍ୱ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.