ପଞ୍ଜାବରେ ବୋମା ପକେଇ ୟୁପିରେ ଧରାପଡ଼ିଲେ… ପୋଲିସ ଗୁଳିରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ, ୩ ଆହତ

ପିଲିଭିତ: ପଞ୍ଜାବ ଗୁରୁଦାସପୁର ପୋଲିସ ଷ୍ଟେଶନରେ ବୋମା ମାଡ଼ କରିବା ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀ ପୋଲିସ ଗୁଳିରେ ନିହତ । ଉତ୍ତରପ୍ରଦେଶ ପିଲିଭିତସ୍ଥିତ ପୁରନପୁରରେ ପୋଲିସ କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ପୋଲିସ ଏନକାଉଣ୍ଟରରେ କିନ୍ତୁ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ ୩ ଜଣ ଆତଙ୍କବାଦୀ ଗୁରୁତରଭାବେ ଆହତ ହୋଇଥିବା ପୋଲିସ କହିଛି । ଆହତ ଆତଙ୍କୀଙ୍କ ନିକଟରୁ ୨ଟି ରାଇଫଲ, ୨ଟି ପିସ୍ତଏ ଏବଂ ବିପୁଳ ପରିମାଣରେ ଗୁଳି ଜବତ କରିଛି । ଆହତ ହୋଇଥିବା ଆତଙ୍କବାଦୀମାନେ ହେଲେ, ୨୫ ବର୍ଷୀୟ ଗୁରବିନ୍ଦ ସିଂ, ୨୩ ବର୍ଷୀୟ ବିରେନ୍ଦ୍ର ସିଂ ଏବଂ ୧୮ ବର୍ଷୀୟ ଜଶନ ପ୍ରିତ ସିଂ । ଆହତ ଆତଙ୍କବାଦୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କିଛିଦିନ ପୂର୍ବେ ପଞ୍ଜାବ ଥାନା ଉପରେ ଗ୍ରେନାଇଡ୍ ଆକ୍ରମଣ କରାଯାଇଥିଲା । ଗୋଟିଏ ମାସରେ ପାଖାପାଖି ୭ଥର ଥାନା ଉପରେ ଆକ୍ରମଣ କରାଯାଇଛି । ତେବେ ଏ ଆକ୍ରମଣ ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସ ପକ୍ଷରୁ କରାଯାଇଥିବା ଜଣାପଡ଼ିଥିଲା । ଆକ୍ରମଣ ନେଇ ଖାଲିସ୍ତାନୀ ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଶେୟାର କରାଯାଇଥିଲା । ଥାନାରେ ବାରମ୍ବାର ଆକ୍ରମଣ ପରେ ପୋଲିସ ଟିମ୍ ଆକ୍ସନ ମୋଡକୁ ଆସିଥିଲା । ଏ ନେଇ ସ୍ଥାନୀୟ ଅଞ୍ଚଳ ଏବଂ ଆଖପାଖ ଇଲାକାରେ ଆଲର୍ଟ ଜାରି କଲା ପୋଲିସ । ଆତଙ୍କବାଦୀଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସ ୟୁପିରେ ଯାଇ ପହଞ୍ଚିଥିଲା । ଉଭୟ ରାଜ୍ୟ ପୋଲିସର ମିଳିତ ଉଦ୍ୟମରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଏନକାଉଣ୍ଟର ସମ୍ଭବପର ହୋଇଛି ।