fbpx

ସାବଧାନ! ବଡ଼ଦାଣ୍ଡରେ ଛାତ ଉପରେ ଜଗିବ ପୋଲିସ

ପୁରୀ: ଆଉ ଦିନକପରେ ମହାପ୍ରଭୁଙ୍କ ବାହୁଡାଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ରଥ ପ୍ରସ୍ତୁତ ଓ ପଥ ମଧ୍ୟ ପ୍ରସ୍ତୁତ। ସେପଟେ ଏଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସେପଟେ ଯେଉଁଭଳି ଭାବରେ ଗୁଣ୍ଡିଚା ଯାତ୍ରାରେ କୋଭିଡ୍ ନିୟମର ଉଲ୍ଲଘଂନ ହୋଇଥିଲା ଏବଂ କିଭଳି ଏହି ଘଟଣାର ପୁନରାବୃତ୍ତି ଯେଭଳି ନହୁଏ ସେଥିପାଇଁ ବାହୁଡାଯାତ୍ରାରେ କଟକଣା ଅଧିକ କଡ଼ାକଡ଼ି କରାଯିବ। ନିୟମ ଉଲଙ୍ଘନ କଲେ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ରଥଯାତ୍ରାର ସାମାନ୍ୟ ବିଶୃଙ୍ଖଳାକୁ ବାହୁଡାଯାତ୍ରାରେ ବରଦାସ୍ତ କରାଯିବ ନାହିଁ। ସେଥିପାଇଁ ବଡଦାଣ୍ଡର ଉଭୟପାର୍ଶ୍ୱରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଘର ମାଲିକଙ୍କ ସହ ଆଜି ଏସପି ଭେଟି ସେମାନଙ୍କୁ କଟକଣା ସମ୍ପର୍କରେ ଅବଗତ କରାଇବା ସହ ତାଗିଦ୍ କରିଛନ୍ତି।

ବାହୁଡାଯାତ୍ରାରେ ସୁପ୍ରିମକୋର୍ଟ ଗାଇଡଲାଇନ୍ କିପରି ପାଳନ କରାଯିବ ସେଥିପାଇଁ ଆଜି ପୋଲିସ୍ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିବା ସହ ସିଂହଦ୍ଵାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଥିବା ହୋଟେଲ୍, ଲଜିଂ ଓ ଲୋକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ବାହୁଡାଯାତ୍ରା ପାଇଁ ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଜାରି କରାଯିବ। କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କାହାରିକୁ ଆସିବାକୁ ଦିଆଯିବ ନାହିଁ । କର୍ଫ୍ୟୁ ଅବଧି ସମୟରେ ବଡଦାଣ୍ଡରେ ଥିବା ସମସ୍ତ ଦୋକାନବଜାର, ବାଣିଜ୍ୟିକ ପ୍ରତିଷ୍ଠାନ ଏପରିକି ଔଷଧ ଦୋକାନ ମଧ୍ୟ ବନ୍ଦ ରହିବ। ପୁରୀର ପ୍ରବେଶପଥକୁ ସିଲ୍ କରାଯିବ। ବଡଦାଣ୍ଡର ଉଭୟପାର୍ଶ୍ୱରେ ଥିବା ଛାତ ଉପରେ ପୋଲିସ ମୁତୟନ କରାଯିବ । ବାହୁଡାଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୁରୀବାସୀଙ୍କ ସହଯୋଗ କାମନା କରାଯାଇଛି ।

Get real time updates directly on you device, subscribe now.