fbpx

ବିଚାରାଧୀନ କଏଦୀକୁ ତାଜମହଲ ବୁଲାଇ ଦେଖାଇଲେ ପୋଲିସ ଅଧିକାରୀ; ଭିଡିଓ ଭାଇରାଲ, ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ତାଜମହଲରେ ପହଞ୍ଚିଲେ ଜଣେ ବିଚାରାଧୀନ କଏଦୀ। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ତାଜମହଲର ପୂର୍ବ ଦ୍ୱାରରେ ପ୍ରବେଶ ପାଇଁ କରିଥିଲେ ଚେଷ୍ଟା। ସାଙ୍ଗରେ ଥିଲେ ପୋଲିସ ଅଫିସର। ଭିତରକୁ ଯିବାକୁ ଅନୁମତି ଦେଇନଥିଲେ ସୁରକ୍ଷାକର୍ମୀ। କେହି ଜଣେ ଭିଡିଓ ରେକର୍ଡ କରିଥିଲେ। ସେହି ସମୟରେ କଏଦୀ ଜଣକ ସୁରକ୍ଷାକର୍ମୀଙ୍କୁ ଅନୁରୋଧ କରୁଥିଲେ ଯେ ଦୟାକରି ମୋତେ ଭିତରକୁ ଯିବାକୁ ଦିଅନ୍ତୁ।

ଏସମ୍ପର୍କରେ ସହକାରୀ ପୁଲିସ କମିଶନର ସୟଦ ଅରିବ ଅହମ୍ମଦଙ୍କୁ ପଚାରିବାରୁ ସେ କହିଛନ୍ତି, “ହରିୟାଣା ପୁଲିସର ୟୁନିଫର୍ମ ପିନ୍ଧିଥିବା ଜଣେ ପୁଲିସ କର୍ମଚାରୀ ଏବଂ ହାତକଡ଼ି ପିନ୍ଧିଥିବା ଜଣେ କଏଦୀ, ଯାହାଙ୍କୁ ବୋଧହୁଏ ଶୁଣାଣି ପାଇଁ ଅଣାଯାଇଥିଲା। ଏହି ଲୋକମାନେ ତାଜମହଲରେ ପହଞ୍ଚିଥିଲେ। ସାଦା ପୋଷାକରେ ତାଙ୍କ ସହ ଆଉ ଦୁଇ ଜଣ ଥିଲେ। ତଦନ୍ତ ପରେ ଏହା ସୋମବାରର ଫୁଟେଜ୍ ବୋଲି ଜଣାପଡ଼ିଥିଲା।” ଏସିପି କହିଛନ୍ତି, “ଆମେ ଘଟଣାର ତଦନ୍ତ ଆରମ୍ଭ କରିଛୁ ଏବଂ ହରିୟାଣା ପୁଲିସ ଯବାନ ଏବଂ କଏଦୀ କିଏ ତାହା ଜାଣିବାକୁ ଚେଷ୍ଟା କରୁଛୁ।

ଚିହ୍ନଟ ହେବା ପରେ ସଂପୃକ୍ତ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ, ଯାହାଫଳରେ ବିଚାରାଧୀନ କଏଦୀଙ୍କୁ ହାତକଡ଼ି ପିନ୍ଧି ତାଜମହଲକୁ ଆଣିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।” ତାଜମହଲର ଇଷ୍ଟ ଗେଟ୍ ନିକଟରେ ଦୋକାନୀମାନେ ମୋବାଇଲରେ ଭିଡିଓ ସୁଟିଂ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହା ସତ୍ତ୍ୱେ ବୁଧବାର ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।

Get real time updates directly on you device, subscribe now.