fbpx

ରାଜନେତାଙ୍କୁ ଛୋଟ ନିବେଦନ: ଅସହ୍ୟ ଗରମରେ କଲବଲ ହୋଇ ଭୋଟ ମାଗୁଛ, କିନ୍ତୁ ତାତିରୁ କିପରି ମୁକ୍ତି ମିଳିବ ସେଥିପ୍ରତି କାହାର ନଜର ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନ ପାଇଁ ୭ମ ପର୍ୟ୍ୟାୟ ବିଶିଷ୍ଟ ମତଦାନ ଜାରି ରହିଛି । ଏହା ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ସରିଥିବା ବେଳେ ଆଗକୁ ଆଉ ୫ଟି ପର୍ୟ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ୟ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହେବ । ତେବେ ଦେଶ ତଥା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜନେତାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ବୁଲି ଜନତାଙ୍କୁ ଭୋଟ ଭିକ୍ଷା କରୁଥିବାର ଦେଖାଯାଉଛି । ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅସହ୍ୟ ତାତିକୁ ଖାତିର ନକରି ରାଜନେତାମାନେ ଘରେ ଘରେ ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ବିଭିନ୍ନ ରାଜନୈତିକ ଦଳର ଇସ୍ତାହାରରେ ଯୁବବର୍ଗଙ୍କୁ ଚାକିରି, ମାଗଣା ବିଜୁଳି ଆଦି ଘୋଷଣା କରାଯାଇଥିବା ଦେଖାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଅସହ୍ୟ ତାତିରେ ନେତାମାନେ ନିଜେ କଲବଲ ହେଉଥିବା ବେଳେ ସେଥିରୁ କିପରି ଆମେ ସମସ୍ତେ ମୁକ୍ତି ପାଇ ପାରିବା ତା’ ଉପରେ କାହାର ନଜର ନାହିଁ । ଚଳିତ ସପ୍ତାହରେ ପ୍ରଚାର ସମୟରେ ପୁରୀ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଥିଲେ । ସେହିପରି ଗରମ ବୃଦ୍ଧି କାରଣରୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଭାଷଣ ଦେବା ସମୟରେ ମଞ୍ଚ ଉପରେ ବେହୋସ୍ ହୋଇପଡ଼ିଥିଲେ । ଅସହ୍ୟ ତାତିରେ ନେତାମାନେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରହୁଥିଲେ ହେଁ ତାତିରୁ କିପରି ମୁକ୍ତି ମିଳିବ ସେନେଇ କେହି ପଦୁଟିଏ ନ କହିବା ନିହାତି ପରିତାପର ବିଷୟ ।

ପ୍ରତିବର୍ଷ ଯଦି ଏପରି ତାପମାତ୍ରା ବୃଦ୍ଧି ପାଇବ ତେବେ ଏହା କେବଳ ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ ତା’ ନୁହେଁ, କୃଷି କ୍ଷେତ୍ରକୁ ମଧ୍ୟ ନଷ୍ଟ କରିଦେବ । ପାଣିର ଅଭାବରେ ଅନେକ ଶସ୍ୟ ଉତ୍ପାଦନ ସମ୍ଭବ ହେବ ନାହିଁ । ତେଣୁ ଜଳବାୟୁ ପରିବର୍ତ୍ତନ କାହିଁକି ଘଟୁଛି, ତାପମାତ୍ରା ବୃଦ୍ଧି ଘଟିବା ପଛର କାରଣ କ’ଣ, ତା’ ଉପରେ ଯଦି ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ଦୃଷ୍ଟି ଦିଅନ୍ତେ ତେବେ ବହୁତ ସୁଫଳ ମିଳିପାରନ୍ତା । କିନ୍ତୁ ଏଥି ପ୍ରତି କାହାର ନିଘା ନାହିଁ । ଆପେ ବଞ୍ଚିଲେ ବାପାର ନା’ ନ୍ୟାୟରେ ସମସ୍ତେ ନିଜ ନିଜ କଥା ବୁଝିବାରେ ବ୍ୟସ୍ତ । କିନ୍ତୁ ଏକଥା ସମସ୍ତେ ଭୁଲିଯିବା ଅନୁଚିତ ଯେ, ଯେତେବଡ଼ ଲୋକ ହେଉନା କାହିଁକି ପ୍ରକୃତି ଆଗରେ ସେ ଅତି ନଗଣ୍ୟ । ଅତୀତରେ କାଳ ସାଜି ଆସିଥିବା କରୋନା ଭାଇରସ୍ ଓ ‘ଫନି’ ପରି ବଡ଼ ବାତ୍ୟା ସମସ୍ତଙ୍କୁ ଉଚିତ ଶିକ୍ଷା ଦେଇ ଯାଇଛି ।

ତେଣୁ ଆଜିର ରାଜନେତାମାନଙ୍କୁ ଏତିକି ଅନୁରୋଧ, ଆପଣମାନେ ଉଚ୍ଚାସନରେ ବସି ଦେଶ, ରାଜ୍ୟକୁ ଚଳାଉଛନ୍ତି, ସଭିଙ୍କ ସୁଖ ଆଉ ଦୁଃଖ ବୁଝୁଛନ୍ତି । ଲୋକଙ୍କ ପାଇଁ ଚାକିରି, ପାଣି, ବିଜୁଳି ଯେତିକି ଗୁରୁତ୍ୱପୂର୍ଣ୍ଣ, ପରିବେଶର ସୁରକ୍ଷା ତା’ଠାରୁ ବହୁଗୁଣରେ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହା ଉପରେ ଆପଣମାନେ ଦୟାକରି ଟିକେ ଦୃଷ୍ଟି ଦିଅନ୍ତୁ । ପରିବେଶ ଯେତେ ପରିବର୍ତ୍ତନ ହେବ ସେହି ମାତ୍ରାରେ ଆମ ସଭିଙ୍କର ସାମାଜିକ ସ୍ଥିତି ବିପନ୍ନ ହୋଇ ଉଠିବ । ପ୍ରକୃତିର ତାଣ୍ଡବ ଆଗରେ ମଣିଷ ଜମା ତିଷ୍ଠି ପାରିବ ନାହିଁ । ସେତେବେଳେ ଏଇ ପଦ ଆଉ ଅର୍ଥ କେଉଁ କାମରେ ଆସିବ । ତେଣୁ ବେଳ ଥାଉ ଥାଉ ଆପଣମାନଙ୍କ ପରି ରାଜନେତାମାନେ ଏ ସମାଜକୁ ସଠିକ୍ ଦିଗରେ ନେବାକୁ ଅନୁରୋଧ କରୁଛୁ ।

Get real time updates directly on you device, subscribe now.