fbpx

ଅନ୍ଧାରରେ ବୁଡି ଯିବ କି ଦେଶ ? ଦିଲ୍ଲୀ, ବିହାର ସମେତ ଏହି ରାଜ୍ୟଗୁଡିକରେ ବ୍ଲାକ୍ ଆଉଟର ବିପଦ

ନୂଆଦିଲ୍ଲୀ : ଭାରତରେ କୋଇଲା ଅଭାବ କାରଣରୁ ବିଜୁଳି ସଙ୍କଟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । କରୋନା ଭାଇରସ୍ ମହାମାରୀ ପରେ ଏବେ ଅର୍ଥ ବ୍ୟବସ୍ଥା ଧିରେ ଧିରେ ଟ୍ରାକକୁ ଫେରୁଥିବାବ ବେଳେ କଳ କାରଖାନା, ଶିଳ୍ପ ଏବଂ କମ୍ପାନୀ ପୁଣି ଥରେ ଖୋଲିବାରେ ଲାଗିଛି । ତେଣୁ କୋଇଲାର ଚାହିଦା ପୂର୍ବାପେକ୍ଷା ବଢି ଯାଇଛି । ଅନ୍ୟପଟେ କୋଇଲା ସଞ୍ଚାଳିତ ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଷ୍ଟକ ଶେଷ ହେବାକୁ ଯାଉଛି । କୋଇଲା ସଙ୍କଟର ପ୍ରଭାବ ଏବେ ବିଜୁଳି ଉତ୍ପାଦନ ଉପରେ ପଡିବ । କାରଣ ଆମ ଦେଶରେ ବିଜୁଳି ଉତ୍ପାଦନର ମୁଖ୍ୟ ସ୍ରୋତ ହେଉଛି କୋଇଲା । ଦେଶରେ ମୋଟ୍ ଚାହିଦାର ୭୦ ପ୍ରତିଶତ ବିଜୁଳି ଉତ୍ପାଦନ କୋଇଲାରୁ ହିଁ ହୋଇଥାଏ । ଦେଶର ଥର୍ମାଲ ପାୱାର ପ୍ଲାଣ୍ଟ ଗୁଡିକରେ କେଉଁଠି ଚାରି ଦିନର କୋଇଲା ଗଚ୍ଛିତ ତ ଅଛି ତ କେଉଁଠି ଦୁଇ ଦିନର । ଯଦି ଶୀଘ୍ର କୋଇଲା ସଙ୍କଟର ସମାଧାନ କରାନଯାଏ ତେବେ ଦୁନିଆର ଦ୍ୱିତୀୟ ସବୁଠୁ ବଡ କୋଇଲା ଆମଦାନୀକାରୀ ଭାରତ ସମ୍ଭାବିତ ବ୍ଲାକ ଆଉଟର ସାମ୍ନା କରିପାରେ ।

ଏହା ମଧ୍ୟ କୁହାଯାଉଛି ଯେ, ଦେଶରେ ଚଳିତ ବର୍ଷ ରେକର୍ଡ କୋଇଲା ଉତ୍ପାଦନ ହୋଇଛି । ମାତ୍ର ଅତ୍ୟଧିକ ବର୍ଷା କାରଣରୁ କୋଇଲା ଖଣିରୁ କୋଇଲା ପାୱାର ପ୍ଲାଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ । କୋଇଲା ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଏବଂ ତାମିଲନାଡୁ ସମେତ ଅନେକ ରାଜ୍ୟରେ ବିଜୁଳି ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡିଛି ।

ଦିଲ୍ଲୀ

ଦିଲ୍ଲୀରେ ବିଜୁଳି ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜୁଳି ସଙ୍କଟ ନେଇ ଚିଠି ଲେଖିଥିଲେ । ସେ ଟ୍ୱିଟ୍ କରି କହିଥିଲେ ଯେ, ମୁଁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ କଡା ନଜର ରଖିଛି । ଏହାର ସମାଧାନ ପାଇଁ ପୂରା ଉଦ୍ୟମ କରୁଛୁ । ଟାଟା ପାୱାର କହିଛି, ସେ ଉତ୍ପାଦନ ବନ୍ଦ କରି ଦେଇଛି । କାରଣ ବର୍ତ୍ତମାନର ପିପିଏ ସର୍ତ୍ତ ଆଧାରରେ ଆମଦାନୀ କୋଇଲାର ମୂଲ୍ୟ ବହୁତ ଉଚ୍ଚ ରହିଛି । ତେଣୁ ବିଜୁଳି ଉତ୍ପାଦନ ବନ୍ଦ ରହିଛି ।

ରାଜସ୍ଥାନ

ରାଜସ୍ଥାନରେ ନିକଟ ଦିନରେ ବିଜୁଳି କାଟ ଆରମ୍ଭ ହୋଇ ଯାଇଛି । ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ବିଜୁଳି ସଙ୍କଟର ମୁକାବିଲା ପାଇଁ ଦୈନିକ ଆଧାରରେ ଏକ ଘଣ୍ଟା ନିର୍ଦ୍ଧାରିତ ସମୟରେ ବିଜୁଳି କାଟ କରିବାକୁ ପଡୁଛି ।

ବିହାର

ଦେଶବ୍ୟାପୀ କୋଇଲା ସଙ୍କଟର ପ୍ରଭାବ ବିହାରର ବିଜୁଳି ଯୋଗାଣ ବ୍ୟବସ୍ଥା ଉପରେ ପଡିଛି । ଖର୍ଚ୍ଚ ତୂଳନାରେ ବିହାରର କେନ୍ଦ୍ରୀୟ ସେକ୍ଟରରୁ ପ୍ରାୟ ଅଧା ବିଜୁଳି ଉତ୍ପାଦନ ହେଉଛି । ଖୋଲା ବଜାରରୁ ବିହାରକୁ ଏବେ ପ୍ରତି ଦିନ ୧୦୦୦ ମେଗାୱାଟ ପର୍ଯ୍ୟନ୍ତ ମହଙ୍ଗା ଦରରେ ବିଜୁଳି କିଣିବାକୁ ପଡୁଛି । ମାତ୍ର ଏହା ଚାହିଦା ମେଣ୍ଟାଇବାକୁ ପର୍ଯ୍ୟାପ୍ତ ନୁହେଁ । କାରଣ ସହରାଞ୍ଚଳରେ ବିଜୁଳି ଯୋଗାଣ ପ୍ରାୟତଃ ଠିକ ରହିଥିବା ବେଳେ ଅର୍ଦ୍ଧସହରୀ ଏବଂ ଗ୍ରାମାଞ୍ଚଳରେ ସାତରୁ ୧୦ ଘଣ୍ଟା ବିଜୁଳି କାଟ ହେଉଛି । ସ୍ଥିତି ସ୍ୱାଭାବିକ ହେବା ପାଇଁ ଗୋଟିଏ କି ଦୁଇ ଦିନ ସମୟ ଲାଗିପାରେ । ଅଭାବକୁ ଦୃଷ୍ଟିରେ ରଖ ବିହାର କେନ୍ଦ୍ର ସରକାରଙ୍କୁ କୋଟା ବଢାଇବାକୁ ଅନୁରୋଧ ମଧ୍ୟ କରିଛି ।

ପଞ୍ଜାବ

ପଞ୍ଜାର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ କେନ୍ଦ୍ର ସରକାରଙ୍କୁ ବିଜୁଳି ସଙ୍କଟ ଚାହିଦା ପୂରା କରିବା ପାଇଁ କୋଟା ଅନୁସାରେ ରାଜ୍ୟକୁ କୋଇଲା ଯୋଗାଣ ତୁରନ୍ତ ବଢାଇବାକୁ ଅନୁରୋଧ କରିଛନ୍ତି । କୋଇଲା ଅଭାବ କାରଣରୁ ରାଜ୍ୟର ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବାର ଦ୍ୱାର ଦେଶରେ ରହିଛି । ଏବେ ରାଜ୍ୟରେ ଦିନକୁ ୩ ରୁ ୪ ଘଣ୍ଟା ବିଜୁଳି କାଟ କରିବାକୁ ପଡୁଛି । ସ୍ଥିତିରେ ଶୀଘ୍ର ସୁଧାର ନଆସିଲେ ବ୍ଲାକଆଉଟର ସ୍ଥିତି ସାମ୍ନା କରିବାକୁ ପଡିପାରେ ।

ଝାଡଖଣ୍ଡ ଓ ଓଡିଶା

କୋଇଲା ଅଭାବ କାରଣରୁ ଝାଡଖଣ୍ଡ ଓ ଓଡିଶା ମଧ୍ୟ ବିଜୁଳି ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଓଡିଶାର ଉଦ୍ୟୋଗ କୋଇଲା ଅଭାବ ସ୍ଥିତି ସମ୍ମୁଖୀନ ହୋଇଛନ୍ତି । ଝାଡଖଣ୍ଡର ମଧ୍ୟ ସେହି ସମାନ ଅବସ୍ଥା ରହିଛି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠିଲେଖି ବିଜୁଳି ସଙ୍କଟ ପ୍ରସଙ୍ଗ ଉଠାଇଛନ୍ତି ।

Get real time updates directly on you device, subscribe now.