fbpx
BJD SKY
BJD SKY

ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟ: ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ଧୂଳି ଚଟାଇଲେ ପ୍ରଜ୍ଞାନନନ୍ଦ, ବିଶ୍ୱନାଥନ ଆନନ୍ଦଙ୍କୁ ବି ପଛରେ ପକାଇଦେଲେ

BJD

ନୂଆଦିଲ୍ଲୀ:ଭାରତର ଯୁବ ଚେସ୍ ସୁପରଷ୍ଟାର ଆର୍ ପ୍ରଜ୍ଞାନନନ୍ଦଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ପର୍ଯ୍ୟାୟରେ ଚୀନ୍‌ର ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ସେ ହରାଇ ଦେଇଛନ୍ତି । ଏହି ବିଜୟ ସହିତ ସେ ଚେସ୍ ଚାମ୍ପିଅନ ବିଶ୍ୱନାଥନ ଆନନ୍ଦଙ୍କୁ ବି ପଛରେ ପକାଇ ଦେଇଛନ୍ତି ।

ମଙ୍ଗଳବାର ରାତିରେ ରେକର୍ଡ କରାଯାଇଥିବା ଏହି ବିଜୟରେ ୧୮ ବର୍ଷୀୟ ପ୍ରଜ୍ଞାନନନ୍ଦଙ୍କର ରେଟିଂ ୨୭୪୮.୩ ଅଙ୍କ ହୋଇଯାଇଥିଲା ଯାହା ଫିଡେ ଲାଇଭ୍ ରେଟିିଂରେ ୫ ଥର ବିଶ୍ୱ ଚାମ୍ପିଅନ ଆନନ୍ଦଙ୍କ ୨୭୮୪ ଅଙ୍କ ଠାରୁ ଅଧିକ । ୱାର୍ଲ୍ଡ ଚେସ୍‌ର ସର୍ବୋଚ୍ଚ ସଂସ୍ଥା ପ୍ରତ୍ୟେକ ମାସର ଆରମ୍ଭରେ ରେଟିଂ ଜାରି କରିଥାଏ ।
ପ୍ରଜ୍ଞାନନନ୍ଦ କଳା ଚେସ୍ ଗୋଟିରେ ଖେଳୁଥିବା ବେଳେ ୬୨ ଗୋଟି ଚାଳନାରେ ବିଜୟ ହାସଲ କରିଛନ୍ତି । ଆନନ୍ଦଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଖେଳାଳୀ ଯିଏ କି କ୍ଲାସିକାଲ ଶତରଞ୍ଜରେ ବର୍ତ୍ତମାନର ବିଶ୍ୱ ଚାମ୍ପିଅନଙ୍କୁ ହରାଇଛନ୍ତି ।

ଏହି ଯୁବ ଚେସ୍ ପ୍ରତିଭାଙ୍କୁ ପ୍ରଶଂସା କରି ସଚ୍ଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ତେନ୍ଦୁଲକର ନିଜ ପୋଷ୍ଟରେ କହିଛନ୍ତି ବିଶ୍ୱ ଚାମ୍ପିଅନ ଡିଙ୍ଗ ଲିରେନ୍‌ଙ୍କ ବିରୁଦ୍ଧରେ ଏହି ଉଲ୍ଲେଖନୀୟ ବିଜୟ ପାଇଁ @rpraggnachess ଙ୍କୁ ବହୁତ ବହୁତ ଧନ୍ୟବାଦ । ମାତ୍ର ୧୮ ବର୍ଷ ବୟସରେ ଆପଣ ଭାରତର ହାଇଏଷ୍ଟ ରେଟେଡ୍ ଖେଳାଳୀ ପାଲଟି ଯାଇଛନ୍ତି ।
ଏହା ପୂର୍ବରୁ ରମେଶବାବୁ ପ୍ରଜ୍ଞାନନନ୍ଦ ଗତ ବର୍ଷ ଫିଡେ ୱାର୍ଲ୍ଡ କପ୍ ଚେସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ସେ ଟାଇଟେଲ ଜିତିବାରୁ ଅଳ୍ପକେ ବାଦ୍ ପଡିଯାଇଥିଲେ । ତାଙ୍କୁ ବିଶ୍ୱର ନଂ ୧ ଖେଳାଳି ମାଗନସ୍ କାର୍ଲସନଙ୍କ ଠାରୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । ପ୍ରଜ୍ଞାନନନ୍ଦ ଭାରତୀୟ ଚେସ୍‌ର ଗ୍ରାଣ୍ଡମାଷ୍ଟର ଅଟନ୍ତି । ମାତ୍ର ୧୨ ବର୍ଷ ବୟସରେ ସେ ଗ୍ରାଣ୍ଡମାଷ୍ଟର ପାଲଟିଯାଇଥିଲେ ।

Get real time updates directly on you device, subscribe now.