fbpx

ସ୍ୱର୍ଣ୍ଣ ପଦକ ଜିତି ନୂଆ ରେକର୍ଡ କଲେ ଓଡ଼ିଆ ପୁଅ: ପ୍ରମୋଦ ଜିତିଲେ ୩ଟି ପଦକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ପଞ୍ଚମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଓ ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୨ରେ ପହଞ୍ଚିବା ସହିତ ସେଥିରେ ୧୮ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଆଜି ଭାରତ ୩ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁଣି ବ୍ୟାଡମିଣ୍ଟନରେ ଜିତିଛି ଆଉ ଏକ ପଦକ । ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଏସଏଲ୩ ଇଭେଣ୍ଟରେ ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି । ପ୍ରମୋଦ ଫାଇନାଲରେ ୨୨-୨୦, ୧୮-୨୧, ୨୧-୯ ସେଟରେ ନିତେଶଙ୍କୁ ପରାସ୍ତ କରିଛନ୍ତି । ଚଳିତ ହାଙ୍ଗଝୋଉ ସଂସ୍କରଣରେ ପ୍ରମୋଦ ୩ଟି ପଦକ ଜିତି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଗତ ୨୦୧୮ ଏସୀୟ ପାରା କ୍ରୀଡ଼ାରେ ମଧ୍ୟ ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ପ୍ରମୋଦଙ୍କ ଏହି ବିଜୟ ଫଳରେ ଭାରତ ପଞ୍ଚମ ଦିନରେ ୪ଟି ସ୍ୱର୍ଣ୍ଣ ଜିତିବା ସହ ମୋଟ ସ୍ୱର୍ଣ୍ଣ ସଂଖ୍ୟା ଏବେ ୨୨ରେ ପହଞ୍ଚିଛି । ଗତ ୨୬ ତାରିଖ ଚତୁର୍ଥ ଦିବସରେ ପ୍ରମୋଦ-ସୁକାନ୍ତ କଦମ ପୁରୁଷ ଡବଲ୍ସ ଏସଏଲ୩- ଏସଏଲ୪ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ଗତ ୨୬ ତାରିଖ ତୃତୀୟ ଦିବସରେ ପ୍ରମୋଦ ଓ ମନିଷା ରାମା ଦାସ ମିକ୍ସଡ ଡବଲ୍ସ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିଲେ । ଚଳିତ ଏସୀୟ ପାରା କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ।

Get real time updates directly on you device, subscribe now.