fbpx

କଂଗ୍ରେସରେ ମିଶି ପାରନ୍ତି ପ୍ରଶାନ୍ତ କିଶୋର, ପାର୍ଟି ନେତାଙ୍କ ମତାମତ ଲୋଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଣ କଂଗ୍ରେସ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନିଜ ଦଳରେ ସାମିଲ କରିବାକୁ ଚାହୁଁଛି ? କଣ ନିଜେ ପ୍ରଶାନ୍ତ କିଶୋର ଭାରତର ସର୍ବ ପୁରାତନ ପାର୍ଟି ସହିତ ନିଜର ନୂତନ ରାଜନୈତିକ ଇନିଂସ ଆରମ୍ଭ କରିବା ମୁଡରେ ଅଛନ୍ତି କି ? ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତ ଏବଂ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ପରେ ରାଜନୈତିକ ମହଲରେ ପ୍ରଶାନ୍ତଙ୍କ କଂଗ୍ରେସରେ ସାମିଲ ନେଇ ରାଜନୀତି ସରଗରମ ରହିଛି। କୁହାଯାଉଛି ରାହୁଲ ଗାନ୍ଧୀ ଏକ ବୈଠକ କରି ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ସାମିଲ୍ ପାଇଁ ପାର୍ଟି ନେତାଙ୍କ ରାୟ ମାଗିଛନ୍ତି।

କଂଗ୍ରେସ ମହଲରେ ପ୍ରଶାନ୍ତ କିଶୋରକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ପାର୍ଟି କି ପ୍ରଶାନ୍ତ କିଶୋର କେହି କିଛି କହିବାକୁ ପ୍ରସ୍ତୁତ ନାହାନ୍ତି। ହେଲେ ଦଳର ତିନି ଜଣ ନେତା କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଜୁଲାଇ ୨୨ରେ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଏକେ ଆଣ୍ଟୋନୀ, ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଳ, କମଲନାଥ ଓ ଅମ୍ବିକା ସୋନିଙ୍କ ସହିତ ପାର୍ଟିର ପ୍ରାୟ ୬ ପ୍ରମୁଖ ନେତା ଯୋଗ ଦେଇଥିଲେ।

ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଯଦି ଉଭୟ ପକ୍ଷ ସହମତି ହୁଅନ୍ତି ତେବେ ପ୍ରଶାନ୍ତ କିଶୋର ସାଧାରଣ ସଂପାଦକ  ଭାବେ କଂଗ୍ରେସରେ ସାମିଲ ହୋଇ ପାରନ୍ତି। ଏହା ପୂର୍ବରୁ ଜୁଲାଇ ୧୫ରେ ପ୍ରଶାନ୍ତ କିଶୋର କଂଗ୍ରେସର ପୁନରୁଦ୍ଧାର ପାଇଁ ଗାନ୍ଧୀ ପରିବାର ସାମ୍ନାରେ ଏକ ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିଥିଲେ। ଜୁଲାଇ ୨୨ରେ  ବସିଥିବା ବୈଠକରେ ଏହା ଜାଣିବାକୁ ଚେଷ୍ଟା କରାଯାଇଥିଲା ଯେ, ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବ ବିଷୟରେ କଂଗ୍ରେସର ବରିଷ୍ଠ ନେତା କଣ ଭାବୁଛନ୍ତି ଏବଂ ସେମାନଙ୍କର ଆଭିମୁଖ୍ୟ କଣ ରହିଛି। କୁହାଯାଉଛି ଯେ, ରାହୁଲ ଗାନ୍ଧୀ ଆଗାମୀ କିଛି ଦିନରେ ଏହା ଉପରେ ଅନ୍ତିମ ନିର୍ଣ୍ଣୟ ନେଇ ପାରନ୍ତି। କିନ୍ତୁ ଏହା ପୂର୍ବରୁ ସେ ପାର୍ଟିର ନେତାଙ୍କ ପରାମର୍ଶ ଚାହୁଁଛନ୍ତି।

ଏହା ମଧ୍ୟ କୁହାଯାଉଛି ଯେ, କଂଗ୍ରେସରେ ପ୍ରଶାନ୍ତ କିଶୋର ଦ୍ଵାରା ଉପସ୍ଥାପିତ ରଣନୀତିକୁ ଆପଣେଇବାର ଇଚ୍ଛା ରହିଛି ଏବଂ ସାଧାରଣ ସହମତି ମଧ୍ୟ ରହିଛି।  ଜନୈକ କଂଗ୍ରେସ ନେତା ଏହା ମଧ୍ୟ କହିଛନ୍ତି ଯେ, ଆମେ ଏହାକୁ ନେଇ ଆଶାବାଦୀ କାରଣ ପ୍ରଶାନ୍ତ କିଶୋର କହିଛନ୍ତି ଯେ, କଂଗ୍ରେସ ବିନା  ବିଜେପିକୁ ହରାଇବା ସମ୍ଭବ ନୁହେଁ।  ଅନ୍ୟପଟେ ଅଧିକାଂଶ କଂଗ୍ରେସ ନେତା ମଧ୍ୟ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରାଯିବା ବିଚାର ମନ୍ଦ ନୁହେଁ ବୋଲି କହିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ପାର୍ଟି ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ।

 

Get real time updates directly on you device, subscribe now.