ପଢୁଆଁ ହେବେ ମହାପ୍ରଭୁ, ମାମୁଁଘର ମାଧବାନନ୍ଦଜିଉଙ୍କ ପୀଠରୁ ଗଲା ଭାର

ଭୁବନେଶ୍ବର: ଆସନ୍ତାକାଲି ପବିତ୍ର ପ୍ରଥମାଷ୍ଚମୀ । ପଢୁଆଁ ହେବେ ମହାବାହୁ । ଏଥିପାଇଁ ମାମୁଁ ଘରୁ ବାହାରିଲା ଭାର । ମାଧବାନନ୍ଦଜୀଉଙ୍କ ପୀଠରୁ ବିଶ୍ବନୟନ୍ତାଙ୍କ ପାଇଁ ପୋଢୁଆଁ ଭାର ଯାଇଛି । ପାଟ ବସ୍ତ୍ରୀ ଏବଂ ବିଭିନ୍ନ ଫଳମୂଳ ସହିତ ପୀଠା ଭାର ମଧ୍ୟ ଯାଇଛି । ଏହି ସମୟରେ ଶଙ୍ଖ, କୀର୍ତ୍ତନ, ହୁଳହୁଳିରେ ଫାଟି ପଡିଛି ପରିବେଶ । ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ପ୍ରଥମାଷ୍ଟମୀରେ ଘରର ଜ୍ୟେଷ୍ଠ ପୁଅ ଓ ଝିଅମାନେ ନବ ବସ୍ତ୍ର ପରିଧାନ କରୁଥିବା ବେଳେ ପିଠାପଣା, ଭୋଗରାଗରେ ଘରେ ଘରେ କରାଯାଇଥାଏ । ଏହି କ୍ରମରେ କାଳିଆଙ୍କ ମାମୁଁଘରୁ ମଧ୍ୟ ଭାର ଆସିଛି । ପୋଢୁଆଁ ଭାରରେ ଠାକୁରଙ୍କ ପାଇଁ ପାଟବସ୍ତ୍ର ସହିତ, ବିରି, ନଡିଆ, ଛେନା, କଦଳୀ, ଫଳ ମୂଳ ଏବଂ ଚନ୍ଦନ ଦିଆଯାଇଥାଏ । ଅଞ୍ଚଳବାସୀଙ୍କ ସହଯୋଗ କ୍ରମେ ଏହି ଭାର ସପ୍ତମୀ ଦିନ ଶ୍ରୀମନ୍ଦିରକୁ ପଠାଯାଇଥାଏ । ସୂଚନାଅନୁସାରେ, ମାଧବାନନ୍ଦ ମନ୍ଦିରକୁ ମହାପ୍ରଭୁଙ୍କ ନାମରେ କିଛି ଜମି ଦିଆଯାଇଥିଲା । ତେବେ ଜମି ଉତ୍ପାଦିତ ସାମଗ୍ରୀକୁ ପଢୁଆଁ ଭାର ହିସାବରେ ଦିଆଯାଇଥିଲା । କିନ୍ତୁ କୌଣସି କାରଣରୁ କିଛି ବର୍ଷ ଏହାକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ କିଛି ବର୍ଷ ହେବ ନିଆଳିବାସୀ ଏକତ୍ରିତ ହୋଇ ପଢୁଆଁ ଭାର ଦେଉଛନ୍ତି । ନିୟମ ଅନୁସାରେ, ଭୋଗ ସେବକମାନେ ଆଗରେ ଆଗରେ ପତକା ଧରି ଚାଲିବାର ନିୟମ ରହିଥିବା ବେଳେ ମହୁରିଆ ମଙ୍ଗଳବାଦ୍ୟ ବଜାଇବେ ।