fbpx
BJD
BJD SKY
BJD SKY

ଗୋଟିଏ ପରିବାରର ୨ବର୍ଷର ଶିଶୁ ସମେତ ୫ ଜଣଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ, ଘରେ ନିଆଁ ଲଗାଇ ଫେରାର ହୋଇଗଲେ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜଣେ ଦୁଇ ବର୍ଷର ଶିଶୁ ସମେତ ଗୋଟିଏ ପରିବାରର ୫ ଜଣଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ପ୍ରୟାଗରାଜର ଖ୍ୱାଜାପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ସମସ୍ତଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇ ଦେଇଥିଲେ । ତେବେ ଏହା ଉଗ୍ରରୂଧାରଣ କରିବା ପୂର୍ବରୁ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିନେଇଥିଲା । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରାମକୁମାର ଯାଦବ, ତାଙ୍କ ପତ୍ନୀ କୁସୁମ ଦେବୀ, ଝିଅ ମୋନିସା, ବୋହୂ ସବିତା ଓ ଦୁଇବର୍ଷର ନାତୁଣୀ ମିନାକ୍ଷୀ ରହିଛନ୍ତି । ତେବେ ଘଟଣା ସମୟରେ ରାମକୁମାରଙ୍କ ପୁଅ ସୁନୀଲ ଘରେ ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୂରା ଘଟଣା ଜାଣିବା ପରେ ସେ ସମ୍ପୂର୍ଣ୍ଣଭାବେ ସ୍ତବ୍ଧ ହୋଇଯାଇଛନ୍ତି ।

ବରିଷ୍ଠ ପୋଲିସ ଅଧିକାରୀ ଅଜୟ କୁମାର କହିଛନ୍ତି ଯେ କ୍ଷତ ଚିହ୍ନରୁ ଜଣାପଡୁଛି ସମସ୍ତଙ୍କୁ ଲୁହା ରଡ଼ରେ ଆକ୍ରମଣ କରାଯାଇଛି । ସମସ୍ତଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଓ ଏହି ଲୋକହର୍ଷଣକାରୀ ଘଟଣାର ତଦନ୍ତ ପାଇଁ ୭ଟି ଟିମ୍‌ ଗଠନ କରାଯାଇଛି । ସନ୍ଧାନୀ କୁକୁର ଓ ଫୋରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜିଲ୍ଲାପାଳ ସଞ୍ଜୟ କୁମାର ଖତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ କହିଛି ଯେ ସୂଚନା ପାଇବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ ଓ ଘରୁ ଧୂଆଁ ବାହାରୁଥିବାର ଦେଖିଥିଲୁ । ତେଣୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଏହାପରେ ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ୫ଟି ମୃତଦେହକୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ନିଆଁ ଲାଗିଥିବା ପ୍ରକୋଷ୍ଠ ନିକଟରେ ଛୋଟ ଶିଶୁ ଓ ତାଙ୍କ ମା’ଙ୍କ ମୃତଦେହ ମିଳିଥିଲା । ଏହାପରେ ଗୃହକର୍ତ୍ତା ରାମକୁମାର ଓ ତାଙ୍କ ପତ୍ନୀଙ୍କ ମୃତଦେହ ଗୋଟିଏ ଦଉଡ଼ିଆ ଖଟରୁ ଉଦ୍ଧାର କରାଯାଇଥିଲା । ଶେଷରେ ମୋନିଷାଙ୍କ ମୃତଦେହ ଠାବ ହୋଇଥିଲା । ପୂର୍ବ ଶତ୍ରୁତାରୁ କିମ୍ବା ଲୁଟ୍‌ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିାରିନାହିଁ । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥିଲା ।

Get real time updates directly on you device, subscribe now.