fbpx

ବାଂଲାଦେଶରେ ଦୁର୍ଗା ପୂଜା ପ୍ରସ୍ତୁତି, ମଦ୍ରାସା ଛାତ୍ରଙ୍କୁ ମନ୍ଦିରର ସୁରକ୍ଷା ଦାୟିତ୍ୱ: ପୂଜାରେ ହେବନି ଅଶାନ୍ତି…

ନୂଆଦିଲ୍ଲୀ: ଆଗକୁ ଆସୁଛି ଶାରଦୀୟ ଦୁର୍ଗା ପୂଜା । ଏହି ସମୟରେ ସମ୍ଭାବ୍ୟ ଅଶାନ୍ତିର ଆଶଙ୍କାକୁ ନେଇ ସଜାଗ ହୋଇଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶର ଅନ୍ତରୀଣ ସରକାର ସମ୍ଭାବ୍ୟ ଉପଦ୍ରବ ମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଜାହିର କରିଛନ୍ତି । ସାମ୍ପ୍ରଦାୟିକ ସଦଭାବନାରେ ବାଧା ସୃଷ୍ଟି କରୁଥିବା କିମ୍ବା ହିନ୍ଦୁ ପର୍ବପର୍ବାଣୀ ସମୟରେ ପୂଜା ସ୍ଥଳକୁ ଟାର୍ଗେଟ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ମଦ୍ରାସାର ଛାତ୍ରମାନଙ୍କୁ ନିୟୋଜିତ କରିବା ପାଇଁ ଆଦେଶ ଦିଆଯାଇଛି ।

ଧାର୍ମିକ ପ୍ରସଙ୍ଗରେ ପରାମର୍ଶଦାତା ଏଏଫଏମ ଖାଲିଦ ହୁସେନ୍ କାଳୀ ମନ୍ଦିର ପରିଦର୍ଶନ ସମୟରେ କହିଛନ୍ତି ଯେ, “ଯଦି କେହି ପୂଜା ସ୍ଥଳରେ ଅଶାନ୍ତି ସୃଷ୍ଟି କରନ୍ତି କିମ୍ବା ପୂଜା କରୁଥିବା ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନ୍ ଅନୁସାରେ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବା ସହ ଶାନ୍ତି ପ୍ରତିଷ୍ଠା କରାଯିବ” । ହିନ୍ଦୁ ସମୁଦାୟର ସଦସ୍ୟମାନଙ୍କୁ ସେମାନଙ୍କ ପର୍ବକୁ ଧୁମଧାମରେ ପାଳନ କରିବାକୁ କହିବା ସହିତ ହିନ୍ଦୁ ମନ୍ଦିରକୁ କୌଣସି କ୍ଷତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଖାଲିଦ ହୁସେନ । ସେ କହିଛନ୍ତି ଯେ, ଯଦି ଆପଣଙ୍କୁ ମନ୍ଦିରର କ୍ଷତି ହେବା ନେଇ ଭୟ ରହିଛି, ତେବେ ନିଶ୍ଚିତ ରୁହନ୍ତୁ । କୌଣସି ଅପରାଧୀ ସେମାନଙ୍କ ଯୋଜନାରେ ସଫଳ ହେବେ ନାହିଁ । ସ୍ଥାନୀୟ ଲୋକଙ୍କ ସହ ମଦ୍ରାସାର ଛାତ୍ର ମଧ୍ୟ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । କେହି ଆମକୁ ଆମ ପର୍ବପର୍ବାଣୀ ପାଳନ କରିବାରେ ବାଧା ଦେଇପାରିବେ ନାହିଁ ।

ହୁସେନ୍ ଶନିବାର ରାଜଶାହୀ ସର୍କିଟ ହାଉସରେ ସରକାରୀ ଅଧିକାରୀଙ୍କୁ ଭେଟି ଚେତାବନୀ ଦେଇଛନ୍ତି ଯେ, ଦୁର୍ଗା ପୂଜା ପୂର୍ବରୁ ଉପଦ୍ରବମାନେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ବିପଦରେ ପକାଇବାକୁ ଚେଷ୍ଟା କରିପାରନ୍ତି। ସେମାନଙ୍କୁ ବିରୋଧ କରିବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି । ତେଣୁ ଉତ୍ସବରେ ମନ୍ଦିରର ସୁରକ୍ଷା କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ମଦ୍ରାସା ଛାତ୍ରମାନଙ୍କୁ ସ୍ୱେଚ୍ଛାସେବୀ ଭାବରେ ନିୟୋଜିତ କରାଯାଇପାରିବ। ଏହା ବ୍ୟତୀତ ପୂଜା ପାଭିଲିୟନର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଆଇନଜୀବୀ ତଥା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.