fbpx

ରାଷ୍ଟ୍ରପତି ନିର୍ବାଚନ: ସମଦୂରତ୍ୱ ନୀତି ଆପଣେଇଲା ବିଜେଡ଼ି

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବିଜୁ ଜନତା ଦଳ  କୌଣସି ପ୍ରକାର ରାଜନୈତିକ ମେଣ୍ଟରେ ସାମିଲ ନହୋଇ ନିଜର ସ୍ୱାଧୀନତା ବଜାୟ ରଖିବ ଏବଂ ଏକା ଚାଲିବାକୁ ପସନ୍ଦ କରିବ ବୋଲି ଦଳର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସମ୍ପ୍ରତି ନୂଆଦିଲ୍ଲୀ ଗସ୍ତରେ ଥିବା ନବୀନଙ୍କୁ ଆଗାମୀ ଲୋକସଭା ଏବଂ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପଚରାଯିବାରେ ସେ କହିଥିଲେ, ସେଥିପାଇଁ ଢେର୍‍ ଦିନ ବାକି ଅଛି। ଏବେଠାରୁ ସେ ସମ୍ପର୍କରେ ମତ ଦେବା ସମୀଚୀନ ହେବନାହିଁ।

ସମୟ ଆସିଲେ ତାହା ଉପରେ ବିଚାର କରାଯିବ। ତେବେ ସେ ସ୍ପଷ୍ଟ କରିଦେଇଥିଲେ ଯେ କୌଣସି ରାଜନୈତିକ ମେଣ୍ଟରେ ସାମିଲ ନହୋଇ ବିଜେଡି ନିଜର ନିରପେକ୍ଷତା ବଜାୟ ରଖିବାକୁ ପସନ୍ଦ କରିବ। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ମତଦେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ କହିଥିଲେ, ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେଉଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀତ୍ୱ ଉପରେ ତାଙ୍କ ଦଳର ଆଭିମୁଖ୍ୟ ନିର୍ଭର କରିବ। ସୂଚନାଯୋଗ୍ୟ ଯେ ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନ୍‍ଡିଏ ପ୍ରାର୍ଥୀ ରାମ ନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇଥିଲା। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‍ଡିଏ ପ୍ରାର୍ଥୀଙ୍କୁ ଜିତାଇବାକୁ ମୋଟ ଭୋଟ ମଧ୍ୟରୁ ୧.୨% କମ୍‍ ରହୁଛି।

ସେଥିପାଇଁ ବିଜେଡିର ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇପଡ଼ିଛି। ସଂସଦର ଉଭୟ ସଦନରେ ଦଳର ମୋଟ ୨୧ ଜଣ ସାଂସଦ ଥିବାବେଳେ ନବୀନ ୩.୨% ଭୋଟ ନିୟନ୍ତ୍ରଣ କରୁଛନ୍ତି, ଯାହା ସହାୟତାରେ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏନ୍‍ଡିଏ ସଫଳତା ହାସଲ କରିପାରିବ। ଏହି ପରିପ୍ରେକ୍ଷୀରେ ନବୀନ ସ୍ପଷ୍ଟ କରିଦେଇଥିଲେ ଯେ ସବୁ କ୍ଷେତ୍ରରେ ତାଙ୍କ ଦଳ ନିଜର ସ୍ୱାଧୀନତାକୁ ଅଗ୍ରାଧିକାର ଦେବ।

Get real time updates directly on you device, subscribe now.