ରାଜ୍ୟମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଦୁଇଟି ବ୍ୟାଙ୍କକୁ ଘରୋଇକରଣ କରିବା ପାଇଁ ଆଗାମୀ ମୌସୁମୀ ଅଧିବେଶନ ସମୟରେ କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆକ୍ଟ ଏବଂ ବ୍ୟାଙ୍କିଙ୍ଗ୍ ଆଇନରେ ସଂଶୋଧନ ଆଣିବାର ସମ୍ଭାବନା ରହିଛି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କକୁ ବିଭାଜନ ପାଇଁ ନିତି ଆୟୋଗ ସର୍ଟଲିଷ୍ଟ କରିଥିବା ସୂଚନା ରହିଛି । ବିନିବେଶର ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ଏହାର ୫୧ ପ୍ରତିଶତ ଅଂଶଧନ ବିକ୍ରି କରିବ । ସରକାର ୨୦୨୨ ପାଇଁ ବିନିବେଶ ଟାର୍ଗେଟ ୧.୭୫ ଳକ୍ଷ କୋଟି ରଖିଛନ୍ତି ।
କେନ୍ଦ୍ରୀୟ ବଜେଟ୍ ୨୦୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ମସିହାରେ ଦୁଇଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ କେନ୍ଦ୍ର ସରକାର ବିନିବେଶକୁ ନେଇ ସଚିବଙ୍କ କୋର ଗ୍ରୁପକୁ ଏହି ଦୁଇ ବ୍ୟାଙ୍କର ନାମ ଅନୂମୋଦନ କରିଛି । ସେମାନଙ୍କର ଏହି ବର୍ଷ ଘରୋଇକରଣ କରାଯିବ । କୋର ଗ୍ରୁପ ପ୍ୟାନେଲର ଅନ୍ୟ ସଦସ୍ୟ ହେଉଛନ୍ତି ଅର୍ଥନେତିକ ବ୍ୟାପାର ସଚିବ, ରାଜସ୍ୱ ସଚିବ, ବ୍ୟୟ ସଚିବ, କର୍ପୋରେଟ ବ୍ୟାପାର ସଚିବ, ଆଇନ ବ୍ୟାପାର ସଚିବ, ସାର୍ବଜନୀନ ଉଦ୍ୟୋଗଗୁଡ଼ିକର ସଚିବ, ପୁଞ୍ଜି ବିନିଯୋଗ ବିଭାଗ ପ୍ରମୁଖ ରହିଛନ୍ତି । କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ସଚିବମାନଙ୍କର ମୁଖ୍ୟ ସମୂହ ନାମର ଅନୁମୋଦନ କରିବା ପରେ ରିପୋର୍ଟ ଅନୁମୋଦନ ପାଇଁ ବୈକଳ୍ପିକ ତନ୍ତ୍ର (ଏଏମ) ଙ୍କ ନିକଟକୁ ଯିବ ଏବଂ ଶେଷରେ ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ ଏହାକୁ ଚୂଡ଼ାନ୍ତ ପାଇଁ କରିଥାଏ । ଏହିଭଳି ଭାବରେ ବିନିବେଶ ହୋଇଥାଏ ।
ତେବେ ବ୍ୟାଙ୍କମାନଙ୍କର ଘରୋଇକରଣକୁ ନେଇ ଗ୍ରାହକଙ୍କୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଘରୋଇକରଣ ହେବାକୁ ଯାଉଥିବା ବ୍ୟାଙ୍କଗୁଡ଼ିକର ଆକାଉଣ୍ଟଧାରୀମାନେ କୌଣସି କ୍ଷତି ସହିବେ ନାହିଁ । ଗ୍ରାହକମାନେ ପୂର୍ବ ପରି ବ୍ୟାଙ୍କିଂ ସେବା ଜାରି ରଖିବେ । ବାସ୍ତବରେ, ଏହି ସମୟରେ କେନ୍ଦ୍ର ସରକାର ବିନିଯୋଗ ପ୍ରତି ଧ୍ୟାନ ଦେଉଛନ୍ତି । ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଅଂଶଧନ ବିକ୍ରି କରି ରାଜସ୍ୱ ବୃଦ୍ଧି କରିବାକୁ ଚାହୁଛନ୍ତି ଏବଂ ସେହି ଟଙ୍କାକୁ ସରକାରୀ ଯୋଜନାରେ ବ୍ୟବହାର କରିବାକୁ ଚାହୁଛନ୍ତି । ୨୦୨୧-୨୨ ମସିହାରେ ବିନିଯୋଗରୁ ୧.୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ।