fbpx

ୟୁପି ନିର୍ବାଚନରେ ମହିଳାଙ୍କୁ ନେଇ ବଡ ବାଜି ଖେଳିପାରେ କଂଗ୍ରେସ, ୩୩ ପ୍ରତିଶତରୁ ଅଧିକ ପ୍ରାର୍ଥୀଙ୍କୁ ଦେଇପାରେ ଟିକେଟ୍

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପାର୍ଟି ବଡ ନିଷ୍ପତ୍ତି ନେଇପାରେ । ଦଳ ବିଧାନସଭା ନିର୍ବାଚନରେ ବଡ ସଂଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଛି । ଦଳ ୩୩ ପ୍ରତିଶତରୁ ଅଧିକ ଆସନରେ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇପାରେ । ଏଥିପାଇଁ ପାର୍ଟି ସଂଗଠନ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଖୋଦ୍ ପ୍ରିୟଙ୍କା ଗାନ୍ଧୀ ଏହାର ଘୋଷଣା କରି ପାରନ୍ତି ।

ଉତ୍ତର ପ୍ରଦେଶ ବିଧାନସଭାର ଆସନ ସଂଖ୍ୟା ହେଉଛି ୪୦୩ । ଯଦି ୩୩ ପ୍ରତିଶତ ମହିଳାଙ୍କୁ କଂଗ୍ରେସ ପ୍ରାର୍ଥୀ କରେ ତେବେ ୧୩୩ଟି ଆସନରେ ମହିଳାଙ୍କୁ ଟିକେଟ୍ ମିଳିବ । ଅନୁମାନ କରାଯାଉଛି ଯେ, କଂଗ୍ରେସ ଏଥିରୁ ଅଧିକ ସଂଖ୍ୟାରେ ମହିଳା ପ୍ରାର୍ଥୀଙ୍କୁ ମଇଦାନରେ ଓହ୍ଲାଇପାରେ । ମହିଳା ପ୍ରାର୍ଥୀଙ୍କ ସନ୍ଧାନ ପାଇଁ ପାର୍ଟି ସଂଗଠନ ଦୀର୍ଘ ଦିନରୁ କସରତ ଚଳାଇଥିଲେ । ଏହି ପ୍ରସ୍ତୁତି ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି ।

ସୂଚନାଯୋଗ୍ୟ, ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଏ ପର୍ଯ୍ୟନ୍ତ ଆଇନରେ ପରିଣତ ହୋଇ ନାହିଁ । କଂଗ୍ରେସ ପାର୍ଟି ସଂସଦରେ ଏହି ପ୍ରସଙ୍ଗ ଉଠାଇ ଆସିଛି । ଏବେ ୟୁପି ବିଧାନସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ କଂଗ୍ରେସ ପାର୍ଟି ସଂସଦରେ ବିଲ୍ ପାସ୍ କରାଇବା ନେଇ ସରକାରଙ୍କ ଉପରେ ଚାପ ପକାଇବାକୁ ସଜବାଜ ହେଉଛି । ଅନ୍ୟପଟେ ମହିଳା ସଂରକ୍ଷଣ ବିଧେୟକକୁ ମଧ୍ୟ ବିଜେପି ସମର୍ଥନ କରି ଆସିଛି । ଦୁଇ ଦଳର ସମର୍ଥନ ପରେ ମଧ୍ୟ ଏହା ଆଇନରେ ପରିଣତ ହୋଇ ପାରିନାହିଁ ।

ଆସନ୍ତା ବର୍ଷ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯଦି କଂଗ୍ରେସ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରେ ତେବେ ଅନ୍ୟ ଦଳ ଉପରେ ମଧ୍ୟ ମହିଳାଙ୍କୁ ଅଧିକ ସିଟରେ ପ୍ରାର୍ଥୀ କରାଇବାର ଚାପ ପଡିପାରେ । ୨୦୧୭ ୟୁପି ବିଧାନସଭା ନିର୍ବାଚନରେ ୪୦ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥିରୁ ୩୩ ପ୍ରାର୍ଥୀ ବିଜେପିର ହୋଇଥିବା ବେଳେ ବିଏସପି ଏବଂ କଂଗ୍ରେସର ଦୁଇ-ଦୁଇ ରହିଛନ୍ତି । ସମାଜବାଦୀ ପାର୍ଟି ଏବଂ ଅପନା ଦଳର ଜଣେ ଲେଖାଏଁ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.