fbpx

ସରକାରଙ୍କ ଅପାରଗତା ହିଁ ଦେଶରେ ଅକ୍ସିଜେନ୍ ସଙ୍କଟର ମୁଖ୍ୟ କାରଣ, କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା

Advertisement

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହରରେ ଦେଶରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍ ସଙ୍କଟକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ପ୍ରିୟଙ୍କା କହିଛନ୍ତି ଯେ, ସରକାରଙ୍କର ଅପାରଗତା କାରଣରୁ ଦେଶରେ ଅକ୍ସିଜେନ୍ ସଙ୍କଟ ସୃଷ୍ଟି ହୋଇଥିଲା । କରୋନାର ପ୍ରଥମ ଦ୍ୱିତୀୟ ଲହର ମଧ୍ୟରେ ମିଳିଥିବା ସମୟର ଉପଯୁକ୍ତ ସଦୁପଯୋଗ ଯଦି ସରକାର ଠିକ ଢଙ୍ଗରେ କରିଥାନ୍ତେ, ତେବେ ଏହି ସଙ୍କଟରୁ ଏଡ଼ାଇ ଦିଆଯାଇ ପାରିଥାନ୍ତା । ୨୦୨୦ରେ ମହାମାରୀ ଜାରି ରହିଥିଲେ ମଧ୍ୟ ସରକାର ଅକ୍ସିଜେନର ରପ୍ତାନୀ ୭୦୦ ପ୍ରତିଶତ କ’ଣ ପାଇଁ ବୃଦ୍ଧି କରିଥିଲେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ସିଜେନ୍ ସଙ୍କଟ ନେଇ କାହାର ପରାମର୍ଶକୁ ଗ୍ରହଣ କରୁନାହାନ୍ତି । ମହାମାରୀ ପୂର୍ବରୁ ଅକ୍ସିଜେନକୁ ଶିଳ୍ପ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଉଥିଲା । ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ମୋଦି ସରକାର ଅକ୍ସିଜେନ ପରିବହନରେ ବ୍ୟବହୃତ ସ୍ୱତନ୍ତ୍ର ଭାବେ ନିର୍ମିତ କ୍ରାୟୋଜେନିକ ଟ୍ୟାଙ୍କ ସଂଖ୍ୟା ବୃଦ୍ଧି କରିନଥିଲେ । ଭାରତ ଅକ୍ସିଜେନ ଉତ୍ପାଦନ କରୁଥିବା ବୃହତ୍ ଦେଶ ହୋଇଥିଲେ ମଧ୍ୟ କରୋନା କାଳରେ ଅକ୍ସିଜେନ ସଙ୍କଟ କାରଣରୁ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା । ଗତ ବର୍ଷ ସରକାର କରୋନା ଉପରେ ବିଜୟ ପ୍ରାପ୍ତ କରିଛନ୍ତି ବୋଲି ବିଜୟ ଉତ୍ସବ ପାଳନ କରିଥିଲେ । ଦେଶର ବୈଜ୍ଞାନିକ ଓ ବିଶେଷଜ୍ଞଙ୍କର ବାରମ୍ବାର ଚେତାବନୀ ସତ୍ତ୍ୱେ ମଧ୍ୟ ସରକାର ଦ୍ୱିତୀୟ ଲହରକୁ ଅଣଦେଖା କରିଥିଲେ ବୋଲି ପ୍ରିୟଙ୍କା କହିଥିଲେ ।

Get real time updates directly on you device, subscribe now.