ସମନ ଅବଜ୍ଞା କରୁଥିବାରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜାରି ହୋଇଥିବା ଏକାଧିକ ସମନକୁ ସେ ପାଳନ କରୁ ନଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛି। ତେବେ ଜଣେ ସରକାରୀ କର୍ମଚାରୀଙ୍କ ଆଦେଶକୁ ପାଳନ ନ କରିବା ଏବଂ ଇଡି ଦ୍ୱାରା ଜାରି ସମନ୍‌ର ବାରମ୍ବାର ଅବଜ୍ଞା କରିବା ଅଭିଯୋଗରେ ମନି ଲଣ୍ଡରିଂ ନିବାରଣ ଆଇନର ଧାରା ୫୦ ଅନୁଯାୟୀ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ ଏହି ଅଭିଯୋଗ ଦାଏର କରାଯାଇଛି। ବୁଧବାର ବା ଫେବ୍ରୁଆରି ୭ରେ ଏହି ମାମଲାର ଶୁଣାଣି କରିବା ପାଇଁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି।

ସୂଚନା ଥାଉକି, ଥରେ କିମ୍ବା ୨ ଥର ନୁହେଁ ୫ ଥର ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମନ ଜାରି କରିଛି। କିନ୍ତୁ ଏହି ସମନକୁ ବେଆଇନ ବୋଲି କହି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଏହାକୁ ପ୍ରତ୍ୟାଖାନ କରିଛନ୍ତି। ପ୍ରଥମେ ୨୦୨୩ ନଭେମ୍ବର ୨ ତାରିଖରେ କେଜ୍ରିଓ୍ଵାଲଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ଏହାପରେ ପୁନର୍ବାର ୨୦୨୩ ଡିସେମ୍ବର ୨୧ରେ ସମନ ଜାରି ହୋଇଥିଲା। ସେହିପରି ୨୦୨୪ ଜାନୁୟାରୀ ୩, ଜାନୁଆରୀ ୧୮, ଏବଂ ଫେବୃଆରୀ ୨ ରେ ହଜାର ହେବା ପାଇଁ ଇଡି ସମନ କରିଥିଲେ ମଧ୍ୟ କେଜ୍ରିୱାଲ ଏହାକୁ ଏଡ଼ାଇ ଯାଇଛନ୍ତି।