fbpx

ରାଜ୍ୟରେ ପୂରଣ ହେବ ୭୨୭୬ ଡାକ୍ତର ପଦବୀ: ଆରମ୍ଭ ହେଲା ପ୍ରକ୍ରିୟା, OPSCକୁ ଚିଠ ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନା, ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବାକୁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏଥିସହିତ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଉଛନ୍ତି । ତେବେ ରାଜ୍ୟରେ ଏଣିକି ଆଉ ଡାକ୍ତର ଅଭାବ ରହିବନି ।

ଖୁବଶୀଘ୍ର ରାଜ୍ୟରେ ପୂରଣ ହେବାକୁ ଯାଉଛି ୭୨୭୬ଟି ଡାକ୍ତରୀ ପଦବୀ । ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତରୀ ପଦବୀକୁ ପୂରଣ ନେଇ ଓପିଏସସି ପଦକ୍ଷେପ ଗ୍ରହଣ କରିବ । ରାଜ୍ୟରୁ ଡାକ୍ତର ଅଭାବ ଦୂର କରିବା ପାଇଁ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ (ଓଏମଏଚସି) କ୍ୟାଡରରେ ୫ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରାଯାଇଛି । ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର (ଏଲଟିଏମଆରଓ) ପାହ୍ୟାରେ ଏହି ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଏ ନେଇ ପ୍ରମୁଖ ମହାଲେଖାକାରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପତ୍ର ଲେଖି ଜଣାଇଥିଲେ ।

ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟ ସରକାର ଏଲଟିଏମଆରଓ ପାହ୍ୟାରେ ୨ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରିଥିବା ବେଳେ ପୁଣି ୫ ହଜାର ହଜାର ସୃଷ୍ଟି କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଏକ ଡାକ୍ତର ବଳକା ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୬୮୯ ଜଣ ଡାକ୍ତର, ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ୪୮୦ ଜଣ ଡାକ୍ତର ନିଯୁକ୍ତି ହେବେ । ପ୍ରତି ଉପଖଣ୍ଡ ଚିକିତ୍ସାଳୟ ପାଇଁ ୧୫ଟି ଲେଖାଏଁ ପଦ ସୃଷ୍ଟି କରାଯାଇଥିବା ବେଳେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ୩୭୫୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୧ଟି ଓ ପ୍ରତି ସିଏଚସିରେ ୧୦ ଜଣ ଲେଖାଏଁ ଡାକ୍ତର ନିଯୁକ୍ତି ପାଇବେ ।

Get real time updates directly on you device, subscribe now.